ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା : ଅଗଷ୍ଟ ୧୨ତାରିଖରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷାଫଳ
ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ୧୨.୩୦ ମିନିଟ ସମୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) କାର୍ଯ୍ୟାଳୟରେ ଓ ୱେସାଇଟ ମାଧ୍ୟମରେ ପ୍ରକାଶ ପାଇବ : ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୨ ତାରିଖରେ ପ୍ରକାଶ ପାଇବ। ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨.୩୦ରେ ପ୍ରକାଶ କରାଯିବ। ଏହାପରେ ଛାତ୍ରଛାତ୍ରୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ରୁ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି। ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହୁରି ମଧ୍ୟ କହିଛନ୍ତି ଯେ, ଯୁକ୍ତ ୨ ବିଜ୍ଞାନର ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି। ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସୁଦ୍ଧା ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞାନ ବିଭାଗର ସମସ୍ତ ଉତ୍ତର ଖାତା ମୂଲ୍ୟାୟନ ଗତ ସପ୍ତାହରେ ସରିବା ସହ ସହ ଯାଞ୍ଚ ପ୍ରକ୍ରିୟା ବି ଶେଷ ହୋଇଛି। ଯେଉଁ କିଛି କାମ ବାକି ରହିଛି ତାହା ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସୁଦ୍ଧା ସରିଯିବ। ମନ୍ତ୍ରୀ ଶ୍ରୀ ଦାଶଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଓ ଧନ୍ଦାମୂଳକ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।