ଆସନ୍ତା ୧୨ ତାରିଖରେ ରୁଷିଆର ଜାତୀୟ ଗବେଷଣା କେନ୍ଦ୍ର ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ପ୍ରଥମ ଟିକାର ବିଧିବଦ୍ଧ ଭାବେ ପଞ୍ଜୀକୃତ ହେବା ନେଇ ସୂଚନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ମସ୍କୋ ୧୧/୦୮ : ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି ରୁଷିଆର ଉପସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ । ତାଙ୍କ ସୂଚନା ଅନୁସାରେ ରୁଷିଆର ଗମାଲେଇ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ବିଭାଗ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଟିକା ଆଗାମୀ ୧୨ ତାରିଖରେ ପଞ୍ଜିକରଣ ହେବ । ଏହି ଘୋଷଣା ପରେ ସାରା ବିଶ୍ୱର ନଜର ଏବେ ରୁଷିଆ ଉପରେ ଅଟକି ରହିଛି । କାରଣ ରୁଷିଆ ଦାବି କରୁଛି ୧୨ ଅଗଷ୍ଟ ସୁଦ୍ଧା ଏହା ପଞ୍ଜିକରଣ ହେବ ଓ ଖୁବଶୀଘ୍ର ଟିକା ବଜାରକୁ ନେଇଆସିବ ।
ରୁଷିଆର ଗମାଲେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ଏକ ଟିକା ଆସନ୍ତା ୧୨ ତାରିଖରେ ବିଶ୍ବର ପ୍ରଥମ କୋଭିଡ୍ ଟିକା ଭାବେ ସାର୍ବଜନୀନ ବ୍ୟବହାର ପାଇଁ ଲୋକାର୍ପିତ ହେବ ବୋଲି ରୁଷିଆର ଉପସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ ଶୁକ୍ରବାର ଘୋଷଣା କରିଛନ୍ତି। ଅପରପକ୍ଷେ, ଉକ୍ତ ଟିକାର ସମ୍ପୂର୍ଣ୍ଣ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଛି ନା ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ରୁଷ୍ ସରକାର ଏଭଳି ପଦକ୍ଷେପ ନେବାକୁ ଚାହୁଛନ୍ତି, ତାହା ସ୍ପଷ୍ଟ ହୋଇନଥିବା ବେଳେ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମର ଅନୁପାଳନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି। ତେବେ ଏହି ଅବସରରେ ଉକ୍ତ ଟିକା କିପରି ସଫଳ ଭାବେ ଆକ୍ରାନ୍ତଙ୍କ ଠାରେ କାର୍ଯ୍ୟ କରିବ ସେ ସମ୍ପର୍କରେ ଗମାଲେଇ ପ୍ରତିଷ୍ଠାନର ମୁଖ୍ୟ ଆଲେକଜାଣ୍ଡାର ଗିଣ୍ଟସବର୍ଗ କିଛି ସୂଚନା ପ୍ରଦାନପୂର୍ବକ ସ୍ପଷ୍ଟ କରିଛନ୍ତି।
ତେବେ ମସ୍କୋର ସେଚେନୋଭ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟିକାର ନାଁ ରହିଛି – କ୍ୟାମ କୋଭିଡ୍ ଭ୍ୟାକ୍ । ଏହାର ସଫଳ ପରୀକ୍ଷଣ ହୋଇସାରିଥିବା ରୁଷିଆ ଦାବି କରିଛି । ରୁଷ ସରକାର କହୁଛନ୍ତି ଦେଶରେ ପ୍ରଥମେ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ହେଲା କି ଆସନ୍ତା ବର୍ଷ ଆରମ୍ଭ ଯାଏଁ କୌଣସି ସୁରକ୍ଷିତ କରୋନା ଟିକା ବଜାରକୁ ଆସିପାରିବ ନାହିଁ । ତେଣୁ ରୁଷିଆର ଦାବି ପରେ ଚେତାଇ ଦେଇଛି ଡବ୍ଲୁଏଚଓ । ଉଭୟ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମକୁ ପାଳନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ରୁଷିଆକୁ ସତର୍କ କରିଦେଇଛି ।
ଗିଣ୍ଟସବର୍ଗଙ୍କ କହିବା ଅନୁସାରେ, ଶ୍ବାସନଳୀର ଉପରିଭାଗକୁ ସଂକ୍ରମଣ କରିପାରୁଥିବା ଆଡିନୋଭୂତାଣୁଙ୍କୁ ପାଥେୟ କରି ଉକ୍ତ ଟିକାରେ ଏକ ପ୍ରକାର ନିର୍ଜୀବ କଣିକା ବ୍ୟବହାର କରାଯାଇଛି। ତେଣୁ ଏହି ଟିକା ମନୁଷ୍ୟର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ। ଏହି ଆଡିନୋଭୂତାଣୁ ଦ୍ବାରା ସୃଷ୍ଟ ନିର୍ଜୀବ କଣିକାଗୁଡ଼ିକ କେବଳ ସଂପୃକ୍ତ କୋଭିଡ୍ ଭୂତାଣୁର ଗୁଣକୁ ପ୍ରତିପାଦନ କରିବା ସହ କୌଣସି ପରିସ୍ଥିତିରେ ବହୁଗୁଣିତ ହୋଇପାରିବେ ନାହିଁ। ସୁତରାଂ ମନୁଷ୍ୟ ଶରୀରରେ ସେମାନଙ୍କ ଉପସ୍ଥିତି ଦ୍ବାରା ଆବଶ୍ୟକ ରୋଗପ୍ରତିରୋଧକ ଆଣ୍ଟିଜେନ ବିକଶିତ ହୋଇପାରିବ ଯାହା କି କୌଣସି ଟିକାର ଅପରିହାର୍ଯ୍ୟ ଗୁଣ ଭାବେ ବିବେଚିତ। ଅପରପକ୍ଷେ, ଯେ କେହି ବ୍ୟକ୍ତି ବି କୌଣସି ବି ଟିକା ନେଲା ପରେ ପ୍ରାକୃତିକ ଭାବେ ଶରୀରରେ ସାମାନ୍ୟ ଜ୍ବର ପରିଲକ୍ଷିତ ହୋଇଥାଏ। ତେବେ ସେପରି ଲକ୍ଷଣ କେବଳ ପାରାସିଟାମଲ୍ ଭଳି ସାଧାରଣ ଔଷଧ ସେବନରେ ହିଁ ଦୂର ହୋଇପାରିବ ବୋଲି ଗିଣ୍ଟସବର୍ଗ କହିଛନ୍ତି।
ବିଶ୍ୱରେ ଏବେ ୧୬୦ଟି ଦେଶ କିମ୍ବା ସଂସ୍ଥା କରୋନା ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ଏମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି ଯେ, କିଏ ପ୍ରଥମେ କରୋନା ଟିକା ଆଣିବ ଓ ସାରା ବିଶ୍ୱରେ ତାର ଦବଦବା ଜାହିର କରିବ । କରୋନା ଟିକାର ବଡ ଦାବିଦାର ହେଉଛନ୍ତି – ସେଚେନୋଭା ବିଶ୍ୱବିଦ୍ୟାଳୟ, ସେମାନେ ପ୍ରସ୍ତୁତ କରୁଥିବା କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ଦ୍ୱିତୀୟରେ ରହିଛି ସାଇନୋଭାକ- ସେମାନେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରହିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେଉଛି । କ୍ୟାନସିନୋ ବାୟୋଲୋଜି ପକ୍ଷରୁ ହେଉଥିବା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ସେହିପରି ମୋଡେର୍ଣ୍ଣାର ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେଉଛି । ସେପଟେ ଭାରତ ବାୟୋଟେକ୍ ପ୍ରସ୍ତୁତ କରୁଥିବା କୋଭ୍ୟାକ୍ସିନ ମଧ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।