ଅକ୍ଷୟ କୁମାର : ବିଶ୍ୱର ଷଷ୍ଠ ସର୍ବାଧିକ ଆୟକାରୀ ପୁରୁଷ ଅଭିନେତା – ଫୋର୍ବସ ପତ୍ରିକା ପ୍ରକାଶ କଲା ବିଶ୍ୱର ସର୍ବାଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକା
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସ୍ ପକ୍ଷରୁ ପ୍ରକାଶିତ ୨୦୨୦ର ବିଶ୍ୱର ୧୦ ଜଣ ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ପତ୍ରିକାରେ ପ୍ରଦତ୍ତ ତଥ୍ୟ ଅନୁସାରେ, ବାର୍ଷିକ ୪୮.୫ ମିଲିୟନ୍ ଡଲାର ଆୟ କରି ଷଷ୍ଠ ସ୍ଥାନରେ ରହିଛନ୍ତି ଅକ୍ଷୟ। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ ମସିହାରେ ଅକ୍ଷୟ ଏହି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।
ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ ଏକ ଷ୍ଟ୍ରିମିଂ ପ୍ଲାଟଫର୍ମରେ ପ୍ରସାରିତ ହୋଇଥିବା ଟେଲିଭିଜନ୍ ଧାରାବାହିକ “ଦି ଏଣ୍ଡ” ଲାଗି ବିଜ୍ଞାପନ ଚୁକ୍ତିନାମାରୁ ଅଧିକାଂଶ ଅର୍ଥ ଉପାର୍ଜନ କରିଥିଲେ ଅକ୍ଷୟ । ମାଗାଜିନରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଅକ୍ଷୟ ଆଗାମୀ ଟେଲିଭିଜନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ୧୦ ମିଲିୟନ ଡଲାର ପାଉଛନ୍ତି।
ତେବେ ଫୋର୍ବସ୍ ପତ୍ରିକା ଅନୁସାରେ ହଲିଉଡ ତାରକା ଡୱେନ ଜନସନ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ୮୭.୫ ମିଲିୟନ ଡଲାର ଆୟ କରି ଶୀର୍ଷରେ ରହିଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି “ଡେଡପୁଲ୍” ତାରକା ରିୟାନ୍ ରେନୋଲ୍ଡସ୍। ତାଙ୍କର ଆୟ ପ୍ରାୟ ୭୧.୫ ମିଲିୟନ୍ ଡଲାର୍ । ଅଭିନେତା-ନିର୍ମାତା ମାର୍କ ୱାଲବର୍ଗ ଏହି ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଆସନ୍ତା ମାସରେ ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ତାଲିକା ବାହାରିବ। ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି “ବଚ୍ଚନ ପାଣ୍ଡେ”, “ବେଲବଟମ୍”, “ଲକ୍ଷ୍ମୀ ବମ୍”, “ସୂର୍ଯ୍ୟବଂଶୀ”, “ପ୍ରୀତିରାଜ”, “ଅତରଙ୍ଗି ରେ” ଏବଂ “ରାଧା ବୃନ୍ଦାବନ”।