କର୍ଣ୍ଣାଟକ : ଫେସବୁକ ପୋଷ୍ଟରୁ ହୋଇଥିବା ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା, ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଙ୍ଗାଲୁରୁ ୧୩/୦୮: ଗୋଟିଏ ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀ ପୋଡ଼ା ଜଳା କରିବାରୁ ପୁଲିସ୍ ଗୁଳି ଚଳାଇଛି। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେହିପରି ଲୋକଙ୍କ ଆକ୍ରମଣରେ ୬୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।କର୍ଣ୍ଣାଟକ ସରକାର ଆଜି (ବୁଧବାର) ସନ୍ଧ୍ୟାରେ କହିଛନ୍ତି ଯେ ବେଙ୍ଗାଲୁରୁ ଠାରେ ଘଟି ଯାଇଥିବା ଦଙ୍ଗା ଯୋଜନାବଦ୍ଧ ଥିଲା। ଉତ୍ତରପ୍ରଦେଶ ପରି ଦଙ୍ଗାକାରୀଙ୍କଠାରୁ କ୍ଷତିପୂରଣ ବାବଦ ଅର୍ଥରାଶି ଆଦାୟ କରାଯିବ। କର୍ଣ୍ଣାଟକ ସରକାର କହିଛନ୍ତି ଯେ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ଘଟିଥିବା ଦଙ୍ଗାରେ ହୋଇଥିବା କ୍ଷୟକ୍ଷତି ଦଙ୍ଗାରେ ସମ୍ପୃକ୍ତ ଥିବା ଲୋକଙ୍କ ଠାରୁ ଆଦାୟ କରାଯିବ। ରାଜ୍ୟ ସରକାର ମଧ୍ୟ କହିଛନ୍ତି ଯେ ଏହି ଦଙ୍ଗା ଯୋଜନାବଦ୍ଧ ଥିଲା ଏବଂ ପୁଲିସ ଦଙ୍ଗାରେ ସଂପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଛି।
କର୍ଣ୍ଣାଟକ ମନ୍ତ୍ରୀ ସିଟି ରବି କହିଛନ୍ତି, ଏହି ଦଙ୍ଗା ଯୋଜନାବଦ୍ଧ ଥିବା ସହ ସମ୍ପତ୍ତି ନଷ୍ଟ ପାଇଁ ଦଙ୍ଗାକାରୀ ପେଟ୍ରୋଲ ବୋମା ଏବଂ ପଥରର ବ୍ୟବହାର କରିଥିଲେ। ଦଙ୍ଗାରେ ୩୦୦ରୁ ଅଧିକ ଗାଡି ପୋଡି ପାଉଁଶ ହୋଇଯାଇଛି। ଅନୁସନ୍ଧାନ ପରେ ହିଁ ସବୁକିଛି ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ କହିଛନ୍ତି ଯେ ଦଙ୍ଗାକାରୀଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆମେ ଦଙ୍ଗାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରୁଛୁ ଏବଂ କ୍ଷୟକ୍ଷତିର ଆକଳନ କରୁଛୁ।
ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ କର୍ଣ୍ଣାଟକା ସରକାର ଏହି ଦଙ୍ଗାକୁ ଯୋଜନାବଦ୍ଧ ବୋଲି କହିବା ସହ ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ବୋଲି କହିଛନ୍ତି। କର୍ଣ୍ଣାଟକାର ମନ୍ତ୍ରୀ ସିଟି ରବି କହିଛନ୍ତି, ଦଙ୍ଗାକୁ ଯୋଜନାବଦ୍ଧ ଭାବେ କରାଯାଇଛି। ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବାକୁ ପେଟ୍ରୋଲ ବୋମା ଓ ପଥରର ବ୍ୟବହାର କରାଯାଇଛି। ୩୦୦ରୁ ଅଧିକ ଗାଡ଼ିକୁ ଦଙ୍ଗାକାରୀମାନେ ପୋଡ଼ି ଦେଇଛନ୍ତି।
ଏହା ମଧ୍ୟରେ ୨୦୦ରୁ ଅଧିକ କାର ଓ ଜିପ ରହିଛି। ଏବେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଉତ୍ତର ପ୍ରଦେଶ ଭଳି କର୍ଣ୍ଣଟକା ସରକାର ମଧ୍ୟ ଦଙ୍ଗାକାରୀଙ୍କ ଠାରୁ କ୍ଷୟକ୍ଷତିର ଅର୍ଥ ଆଦାୟ କରିବେ। ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରମାନଙ୍କୁ ଦଙ୍ଗାକାରୀଙ୍କ ଠାରୁ ଅର୍ଥ ଆଦାୟ କରିବାର କ୍ଷମତା ଦେଇଛନ୍ତି ବୋଲି ସେ କହିଛନ୍ତି।
ସେହିଭଳି କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକା କହିଛନ୍ତି ଯେ ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା ଏବଂ ଦଙ୍ଗା ପଛରେ ରହିଥିବା ଷଡ୍ଯନ୍ତ୍ରର ଖୁବ୍ଶୀଘ୍ର ପର୍ଦ୍ଦାଫାସ୍ ହେବ। ଏଥିସହ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତିଙ୍କ ପୁତୁରା ନବୀନ ଫେସବୁକରେ ଗୋଟିଏ ବିବାଦୀୟ ପୋଷ୍ଟ କରିଥିଲେ। ଏହାକୁ ନେଇ ମଙ୍ଗଳବାର ରାତିରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଲୋକମାନେ ବିଧାୟକଙ୍କ ଘରକୁ ଘେରାଉ କରି ଟେକା ପଥର ମାଡ଼ କରିବା ସହ ପୋଡ଼ାଜଳା କରିଥିଲେ। ସେହିପରି କଭଲ Byrsandra ପୁଲିସ ଷ୍ଟେସନ ଉପରକୁ ଟେକା ପଥର ମାଡ଼ କରିଥିଲେ।
ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏପରି କି ଲୁହ ବୁହା ଗ୍ୟାସ ଏବଂ ଲୁହ ବୁହା ବୋମା ସମେତ ପୁଲିସକୁ ଫାଇରିଂ ମଧ୍ୟ କରିବାକୁ ପଡ଼ିଛି। ପୂର୍ବ ବେଙ୍ଗାଲୁରୁର ଡିଜେ ହଲ୍ଲି ଅଞ୍ଚଳରେ ପୁଲିସ ଫାଇରିଂ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ଥାନା ଅଧୀନ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟପଟେ ସମଗ୍ର ବେଙ୍ଗାଲୁରୁରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ପୁଲିସ ଏହି ମାମଲାରେ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୁର୍ତ୍ତିଙ୍କ ପୁତୁରା ନବୀନଙ୍କ ବ୍ୟତୀତ ୧୧୦ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି। ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯିବେ ସହ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।
ଜଣେ ଯୁବକଙ୍କ ଦ୍ୱାରା ଫେସ୍ବୁକ୍ରେ କରାଯାଇଥିବା ଏକ ଆପତ୍ତିଜନକ ତଥା ସାଂପ୍ରଦାୟିକ ସମ୍ବେଦନଶୀଳ ପୋଷ୍ଟିଂକୁ କେନ୍ଦ୍ରକରି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଗତ ରାତିରୁ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ଏହି ଘଟଣାକୁ କେନ୍ଦ୍ରକରି ମଙ୍ଗଳବାର ରାତିରେ ବେଙ୍ଗାଲୁରୁ ସହରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୁଳି ଚାଳନା କରିବାରୁ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ହିଂସାକାଣ୍ଡରେ ସମ୍ପୃକ୍ତ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଥିଲା।
ଫେସ୍ବୁକ୍ରେ ଘୃଣା ତଥା ସାଂପ୍ରଦାୟିକ ଉତ୍ତେଜନା ଉଦ୍ରେକକାରୀ ପୋଷ୍ଟ୍ କରିଥିବା ସମ୍ପୃକ୍ତ ଯୁବକଜଣକ ପୁଲକେଶୀ ନଗର କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିବା ପରେ ଦଙ୍ଗାର ସୂତ୍ରପାତ ହୋଇଥିଲା। ଏଥିଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଡିଜେ ହାଲି ଓ କେଜି ହାଲି ଥାନା ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକଙ୍କ ବାସଭବନ ଉପରକୁ ଟେକାପଥର ଫିଙ୍ଗିଥିଲେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। କିନ୍ତୁ, ଯୁବକଜଣକ କହିଛନ୍ତି ଯେ, ସେ ଏହାକୁ ପୋଷ୍ଟ୍ କରି ନାହାନ୍ତି। ତାଙ୍କର ଫେସ୍ବୁକ୍ ଆକାଉଣ୍ଟ୍ ହ୍ୟାକ୍ କରାଯାଇ ଏଭଳି କରାଯାଇଛି।