ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ପୂର୍ବ ଘୋଷଣା ମୁତାବକ ରୁଷିଆର ସରକାରୀ ପ୍ରତିଷ୍ଠାନ ‘ଗମାଲେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି’ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ଏକ କୋଭିଡ୍ ଟିକାର ଲୋକାର୍ପଣ ହୋଇଯାଇଛି। ଏହାକୁ ନେବା ପାଇଁ ହିତାଧିକାରୀଙ୍କର ପଞ୍ଜୀକରଣ ସହ ଏହାର ବ୍ୟାବସାୟିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ‘ସ୍ପୁଟ୍ନିକ୍-ଭି’ ନାମକ ଉକ୍ତ ଟିକା ଆଗାମୀ ଦୁଇ ସପ୍ତାହ ଭିତରେ ବଜାରରେ ଉପଲବ୍ଧ ହେବ ବୋଲି ରୁଷୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି।
ସୂଚନା ଥାଉ କି, ରୁଷିଆ ବାହାରେ ଏହାର ଉପଲବ୍ଧି ପାଇଁ ଅନେକ ପ୍ରତିବନ୍ଧକ ରହିଛି। ଏ ପରିପ୍ରେକ୍ଷୀରେ କୌଣସି ପ୍ରକାର କୋଭିଡ୍-୧୯ ଟିକାକୁ ଚାତକ ପରି ଚାହିଁ ବସିଥିବା ଜନବହୁଳ ଭାରତରେ ଏହି ‘ସ୍ପୁଟନିକ୍-ଭି’ କେବେ ମିଳିପାରିବ, ତାହା ହିଁ ଆଲୋଚ୍ୟ ବିଷୟ ହୋଇଛି। ତେବେ ଏତେ ଶୀଘ୍ର ମହାମାରୀ କୋଭିଡ୍-୧୯ ପାଇଁ ପ୍ରଯୁଜ୍ୟ ଟିକାଟିଏ ହାତପାଆନ୍ତାରେ ମିଳିଯିବା ଖବର ଯେତିକି ଉତ୍ସାହପ୍ରଦ, ଏହାର ଫଳପ୍ରଦତା ଭାବିଲା ବେଳକୁ ମନରେ ସେତିକି ଦ୍ବନ୍ଦ୍ବ ସୃଷ୍ଟି ହେଉଛି। କାରଣ ତୃତୀୟ ବା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ଶରୀରରେ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ସରିବା ଆଗରୁ ଏହାକୁ ଏପରି ତରବରିଆ ଭାବେ ଲୋକାର୍ପିତ କରାଯାଇଥିବା ଆଲୋଚନା ହେଉଛି।
ତେବେ, ଭାରତରେ ଏହି ଟିକାର ବ୍ୟବହାର ଉଦ୍ଦେଶ୍ୟରେ ଆବଶ୍ୟକ ସରକାରୀ ଅନୁମୋଦନ ମିଳିବା ପାଇଁ ଦୁଇଟି ଉପାୟ ରହିଛି। ପ୍ରଥମତଃ ଦେଶରେ କୌଣସି ଔଷଧ ପ୍ରୟୋଗର ଜରୁରୀକାଳୀନତାକୁ ବିଚାର କରି ଦେଶର ଶୀର୍ଷ ଭେଷଜ ନିୟନ୍ତ୍ରକ ଉକ୍ତ ଟିକାକୁ ସ୍ବତନ୍ତ୍ର ଅନୁମତି ଦେଇପାରିବେ। ମାତ୍ର ସେଭଳି ସମ୍ଭାବନା ନାହିଁ। କାରଣ ତାହା କେବଳ ନିର୍ଦ୍ଦିଷ୍ଟ ବର୍ଗର ଗୁରୁତର ରୋଗୀଙ୍କ ପାଇଁ ପ୍ରଯୁଜ୍ୟ, କୌଣସି ଟିକା ପାଇଁ ନୁହେଁ। ଏହି ପ୍ରକ୍ରିୟାରେ ଭାରତରେ ଗୁରୁତର କୋଭିଡ୍ ରୋଗୀଙ୍କୁ ରେମଡେସିଭିର୍ ଔଷଧ ପ୍ରୟୋଗ ପାଇଁ ଅନୁମତି ମିଳିଛି। ତେଣୁ ଦ୍ବିତୀୟ ପ୍ରକ୍ରିୟାରେ ହିଁ ଭାରତରେ ‘ସ୍ପୁଟନିକ୍-ଭି’ର ବ୍ୟବହାର ପାଇଁ ଅନୁମତି ମିଳିପାରେ। ଏଥିପାଇଁ ଏହାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ମଧ୍ୟ ଏଠାରେ କରିବାକୁ ପଡ଼ିବ। କାରଣ ରୁଷିଆରେ ତାହାର ଫଳାଫଳ ଯାହା ହୋଇଥାଉ ନା କାହିଁକି ଆମ ପରିବେଶରେ ଏହାର ଫଳପ୍ରଦତା ପରଖିବାକୁ ହେବ। ଏହି ପ୍ରକ୍ରିୟାକୁ ବର୍ତ୍ତମାନ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ‘କୋଭିସିଲ୍ଡ’ ନାମକ ଟିକା ପାଇଁ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅନୁପାଳନ କରୁଛି।
ଭାରତରେ ରୁଷୀୟ ଟିକାର ପ୍ରୟୋଗ ପାଇଁ ପ୍ରଥମେ ଗମାଲେଇ ଇନ୍ଷ୍ଟିଚ୍ୟୁଟ୍ ସହ ମିଶି କୌଣସି କମ୍ପାନି ଏଠାରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ଲୋଡ଼ିବ। ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ ହେବା ପରେ ପରୀକ୍ଷଣ ପାଇଁ ଅତି କମ୍ରେ ଦୁଇରୁ ତିନି ମାସ ଲାଗିଯିବ। ଏବେଠାରୁ ଲାଗିଲେ ଆଗାମୀ ନଭେମ୍ବର ବେଳକୁ ଫଳାଫଳ ମିଳିଯିବ। ତେବେ ତାହାପରେ ଏଠାରେ ଟିକାର ପ୍ରସ୍ତୁତି ଓ ବିତରଣ ପାଇଁ ଯାହା ସମୟ ଲାଗିବ। ଏପରି ଭାବେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତରେ ‘ସ୍ପୁଟନିକ୍-ଭି’ର ସର୍ବସାଧାରଣ ବ୍ୟବହାର ଆଶା କରାଯାଇପାରେ। ମାତ୍ର ଏଠାରେ ଉକ୍ତ ଟିକାର ଗୁରୁତ୍ବପୂର୍ଣ୍ଣ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ବର୍ତ୍ତମାନ ସୁଦ୍ଧା କେହି ଜଣେ ବି ଅନୁମତି ଲୋଡ଼ିନଥିବା ଜଣାଯାଇଛି।