![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/hrjiuk.jpg?resize=440%2C246)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍ ୧ରୁ ଜୁନ୍ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କିନ୍ତୁ ଏଥିରେ ବସ୍ତିରୁ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ ହୋଇଛି। ବସ୍ତିରୁ ବସ୍ତିକୁ କରୋନା ମାଡ଼ୁଥିବାରୁ ବିଏମ୍ସି ଅଧିକାରୀଙ୍କ ନିଦ ହଜିଗଲାଣି। ଏବେ ବସ୍ତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ଘାରିଛି। ବସ୍ତିରେ ଲୋକ ସଙ୍ଗରୋଧ ନିୟମ ମାନୁନଥିବାରୁ, ବିଏମ୍ସି ସବୁ ସେବା ଯୋଗାଇବା ସମ୍ଭବ ନଥିବାରୁ କିପରି ଏହାର ମୁକାବିଲା କରାଯିବ ତାହା ଅଧିକାରୀଙ୍କ ପାଇଁ ଚାଲେଞ୍ଜ ହୋଇଛି।ବିଏମ୍ସି ପକ୍ଷରୁ ରାଜଧାନୀର ୫୩୬ଟି ବସ୍ତିରେ ଆକ୍ଟିଭ୍ ସର୍ଭେଲାନ୍ସ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏଠାରେ ପ୍ରାୟ ୫ଲକ୍ଷ ଲୋକ ବାସ କରୁଛନ୍ତି। ତେଣୁ ସମସ୍ତଙ୍କ ଉପରେ ନଜର ରଖିବା ସମ୍ଭବ ହେଉନି। ଯେଉଁଠି କରୋନା ଆକ୍ରାନ୍ତ ବାହାରୁଛନ୍ତି ବିଏମ୍ସି ପକ୍ଷରୁ ସେହି ଅଞ୍ଚଳରେ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର୍ କରାଯାଉଛି। ଏବେ ପ୍ରାୟ ୧୦ଟି ବସ୍ତିରେ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏପରିକି ବସ୍ତି ବାସିନ୍ଦା ଯେଉଁଠିକୁ କାମ କରିବାକୁ ଯାଉଛନ୍ତି ସେଠାକୁ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ଶ୍ରମିକ ଆସି କାମ କରୁଛନ୍ତି। ତେଣୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ବାହାର ରାଜ୍ୟ/ବାହାର ଜିଲ୍ଲାର ପ୍ରାୟ ୨୪ଜଣ ଶ୍ରମିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
![](https://kalingajyoti.com/wp-content/uploads/2020/06/yhu5k8oil.jpg)
ବାହାର ଜିଲ୍ଲାରୁ ଆସିଥିବା ଶ୍ରମିକ କରୋନା ଆକ୍ରାନ୍ତ ହେଉଥିବା ଜଣାପଡ଼ିବା ପରେ ବିଏମ୍ସ ପକ୍ଷରୁ ଶୁକ୍ରବାର ଗଞ୍ଜାମ, କଟକ, ଗଜପତି, ବାଲେଶ୍ବର, ଯାଜପୁର ଜିଲ୍ଲାରୁ ଆସୁଥିବା ଶ୍ରମିକଙ୍କ ପାଇଁ ୧୪ଦିନିଆ ସଙ୍ଗରୋଧ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କିନ୍ତୁ ଏହାକୁ ବସ୍ତିରେ କିଏ ମାନିବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ମିଳିଥିବା ସୂଚନା ଅନୁଯାୟୀ, ସୁବାସନଗର ବସ୍ତିରୁ ୬ଜଣ, ମେ’ଫେୟାର ପଛପାଖ ବସ୍ତିରୁ ଜଣେ, ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ମହିଷାଖାଲ ବସ୍ତିରୁ ଜଣେ, ବାଲିଆପାଟ ବସ୍ତିରୁ ଜଣେ, ସାଲିଆସାହି ବିର୍ସାନଗର ବସ୍ତିରୁ ଜଣେ, ନିରାଙ୍କରି ନଗରରୁ ୨ଜଣ, ଶରଣାପଲ୍ଲୀରୁ ୨ଜଣ, ଲକ୍ଷ୍ମୀବଜାର ବସ୍ତିରୁ ୮ଜଣ, ଅଭିରାମ ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜଧାନୀର ଚାରି ଦିଗରେ ଥିବା ଏହି ବସ୍ତିଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ଏହାକୁ କିପରି ରୋକ୍ ଲଗାଇବ ଜାଣିପାରୁନି। କାରଣ ରାଜଧାନୀରେ ଅଧିକାଂଶ ଲୋକଙ୍କ ଘରେ ବସ୍ତିବାସିନ୍ଦା ବାସନମଜା ଠାରୁ ଆରମ୍ଭ କରି ବିଭିନ୍ନ କାମ କରୁଥିବାବେଳେ, ବିଭିନ୍ନ ଦୋକାନ, ହାଟ, ବଜାରରେ ବସ୍ତି ବାସିନ୍ଦା କାମ କରୁଛନ୍ତି। ଯେଉଁମାନେ ସବୁ ବର୍ଗର ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ କେମିତି ସମସ୍ତଙ୍କ ଉପରେ ନଜର ରଖାଯିବ, କେହି ଯେମିତି ସୁପରସ୍ପ୍ରେଡର ହେବେନି ସେନେଇ ବିଏମ୍ସି କର୍ତ୍ତୃପକ୍ଷ କିଛି ଥଳକୂଳ ପାଉନାହାନ୍ତି।