ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ଆମ ଦେଶରେ ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତିରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ଆସନ୍ତାକାଲି ଠାରୁ ଗୋଟିଏ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ ବୋଲି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ ଆଜି କହିଛନ୍ତି। ଅନ୍ୟ ୨ଟି ଟିକାର ଟ୍ରାଏଲ୍ ଷ୍ଟେଜ-ଟୁରେ ଅଛି। ଏହି ୩ଟି ଟିକା ସଂପର୍କରେ ସ୍ୱାଧୀନତା ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।
ଡାକ୍ତର ଭି.କେ. ପଲ୍ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ କରୋନା ଭ୍ୟାକସିନକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। କରୋନା ଭ୍ୟାକସିନର ଷ୍ଟେଜ୍-୩ର ସମୟ ବହୁତ ଲମ୍ବା। ଭ୍ୟାକସିନ କେବେ ଆସିବ, ତାହା କହିହେବ ନାହିଁ। ଷ୍ଟେଜ୍-୧ ଓ ଷ୍ଟେଜ-୨ ଯେତେ ସପ୍ତାହ ଲାଗିଲା, ଷ୍ଟେଜ୍-୩ ଆଉ କିଛି ଅଧିକ ସପ୍ତାହ ଲାଗିପାରେ।’
ସେହିପରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ଟେଷ୍ଟ ହାର ବଢ଼ିଛି। ଦେଶରେ ଏପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଟେଷ୍ଟ ହୋଇସାରିଛି। ଏବେ ଦେଶରେ ଦିନକୁ ୮ ଲକ୍ଷ ଟେଷ୍ଟ ହେଉଛି। ଟେଷ୍ଟ ବଢୁଥିଲେ ମଧ୍ୟ ପଜିଟିଭ ହାର କମି କମି ଯାଉଛି। ସଂକ୍ରମିତଙ୍କୁ ଖୁବ ଶୀଘ୍ର ଚିହ୍ନଟ କରି ଟେଷ୍ଟ କରାଯାଉଥିବାରୁ ଏପରି ସଫଳତା ମିଳୁଥିବା କହିଛନ୍ତି ରାଜେଶ ଭୂଷଣ।
ଗତ ସପ୍ତାହରେ ପଜିଟିଭ ହାର ୧୦.୦୩ ପ୍ରତିଶତ ଥିବା ବେଳେ ତାହା ଏବେ ୭.୭୨କୁ ଖସିଛି। ସେହିପରି ମୃତ୍ୟୁ ହାର ଜୁଲାରର ୨.୮୯ ପ୍ରତିଶତରୁ ଖସି ଏବେ ୧.୯୪ରେ ପହଞ୍ଚିଛି। ମୃତ୍ୟୁହାରକୁ ୧ ପ୍ରତିଶତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୫ ଦିନ ମୃତ୍ୟୁକୁ ଦେଖିଲେ ସଂକ୍ରମଣ କରୁଥିବା ଜଣାପଡୁଛି। ତଥାପି ୫ଦିନକୁ ନେଇ ମହାମାରୀର ପ୍ରକୋପକୁ ଆକଳନ କରିହେବ ନାହିଁ। ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ସେ ପରାମର୍ଶ ଦେଇଛନ୍ତି।