ଆଜି ପ୍ରକାଶ ପାଇଲା +୨ ବାଣିଜ୍ୟ ପରୀକ୍ଷାଫଳ : ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୮.୭୦% ପାସ ହାର ଥିବାବେଳେ ଦେବଗଡ଼ ଜିଲ୍ଲାରୁ ସର୍ବନିମ୍ନ ପାସ ହାର ୩୪.୧୭%
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଟ୍ୱିଟ କରି ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଲେ ।
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଆଜି ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ଵାରା ପରିଚାଳିତ +୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ । ଭୁବନେଶ୍ୱରସ୍ଥିତ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ପାସ୍ ହାର ୭୪.୯୫ ପ୍ରତିଶତ ରହିଛି, ଯାହାକି ଗତ ବର୍ଷ ଅପେକ୍ଷା ପାସ୍ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଚଳିତ ବର୍ଷ ୨୫,୭୭୨ ଜଣ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୧୯,୩୧୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।
ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ୧୨,୨୧୫ ଜଣ ଛାତ୍ର ପାସ କରିଥିବା ବେଳେ ସେମାନଙ୍କ ପାସ ହାର ୭୩.୩୭ ପ୍ରତିଶତ ରହିଛି। ସେହିପରି ୭,୧୦୩ ଜଣ ଛାତ୍ରୀ ପାସ କରିଥିବା ବେଳେ ସେମାନଙ୍କ ପାସ ହାର ୭୭.୮ ପ୍ରତିଶତ ରହିଛିି। ୪୦ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪, ୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ତେବେ ନୟାଗଡ଼ରେ ସର୍ବାଧିକ ପାସ୍ ହାର ୮୮.୭୦ ପ୍ରତିଶତ ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ପାସ୍ ହାର ୩୪.୧୭ ପ୍ରତିଶତ ରହିଛି। ୨୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀ ଶହେ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପାସ୍ କରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ +୨ ବାଣିଜ୍ୟ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମାନ୍ୟବର ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି।
ଛାତ୍ରଛାତ୍ରୀମାନେ www.orissaresults.nic.in ୱେବସାଇଟରୁ ସେମାନଙ୍କ ଫଳାଫଳ ଜାଣିପାରିବେ। ତେବେ ଫଳାଫଳ ନେଇ କୌଣସି ଅସୁବିଧା ହେଲେ ପରିଷଦ କାର୍ଯ୍ୟାଳୟର ଫୋନ ନମ୍ବର ୦୬୭୪-୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ ରେ ଫୋନ୍ କରିପାରିବେ। ତେବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଖାତା ରିଚେକିଂ ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି।