ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ : ତିନିଥର ବିଧାୟକ ହୋଇ ମଧ୍ୟ ଧାନକ୍ଷେତରେ କାମ କରୁଥିବା ବିଧାୟକଙ୍କ କାମକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ
ନବରଙ୍ଗପୁର/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମନୋହର ରନ୍ଧାରୀଙ୍କ ବିଭିନ୍ନ ସମୟରେ ଭିନ୍ନଢଙ୍ଗରେ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚିତ ରହିଛନ୍ତି । ତିନି ଥର ବିଧାୟକ ହୋଇ ମଧ୍ୟ ଏବେ ସେ ନିଜ ଚାଷ ଜମିରେ କାମ କରି ପ୍ରଶଂସିତ ହୋଇଛନ୍ତି । ବର୍ଷକୁ ଅନ୍ୟୂନ ଦୁଇ ମାସ ନିଜ ଧାନ ବିଲରେ ଚାଷ କାମ କରୁଥିବା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାୟକ ଶ୍ରୀ ମନୋହର ରାନ୍ଧାରୀଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ପ୍ରଶଂସା କରି ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁ ତାଙ୍କର ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ବିଧାୟକ ଶ୍ରୀ ରନ୍ଧାରୀ ପ୍ରତିବର୍ଷ ଦୁଇମାସ ଧାନ କ୍ଷେତରେ କାମ କରୁଥିବାରୁ ତାଙ୍କୁ ଉଚ୍ଚପ୍ରଶଂସା କରିବା ସହ ଏହା ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିଛନ୍ତି।
ଡାବୁଗାଁ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ୪୫ ବର୍ଷିୟ ବିଜୁ ଜନତା ଦଳର ବିଧାୟକ ଶ୍ରୀ ମନୋହର ରାନ୍ଧାରୀ କହିଛନ୍ତି ଯେ, ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠିତ ହେବା ଅନୁଚିତ ବୋଲି ସେ ଉଲ୍ଲେଖ କହିଛନ୍ତି। ସେ କହନ୍ତି, ଫଟୋ ନିମନ୍ତେ ମୁଁ ଚାଷକାମ କରୁନାହିଁ। ଚାଷ ମୋର ବେଉସା ହୋଇଥିବା ବେଳେ ବିଧାୟକତ୍ୱ ମୋ ପାଇଁ ଜନସେବାର ଉପାୟ। ଗୋଟିଏ ବୋଲି ପୁଅ ହୋଇଥିବାରୁ ଛୁଆଟି ଦିନରୁ ମୁଁ ଚାଷକାମରେ ବାପାଙ୍କୁ ସାହାଯ୍ୟ କରି ଆସୁଛି। ସେ ଆମର ବାର୍ଷିକ ଧାନଚାଷ କାମ ତଦାରଖ କରୁଥିଲେ। ଗତବର୍ଷ ତାଙ୍କର ଦେହାନ୍ତ ହୋଇଯିବାରୁ ଚାଷବାସ ଭାର ମୋ କାନ୍ଧରେ ପଡ଼ିଲା। ୨୦୧୯ରେ ଡାବୁଗାଁ ବିଧାୟକ ହେବା ପୂବର୍ରୁ ୨୦୦୯ ଓ ୨୦୧୪ରେ ନବରଙ୍ଗପୁରର ଦୁଇଥର ବିଧାୟକ ହୋଇଥିବା ରାନ୍ଧାରୀଙ୍କର ପୂଜାରୀପଡ଼ା, କେଶରୀଗୁଡ଼ା ଏବଂ ଭାଟିଗାଁ ଅଞ୍ଚଳରେ ୨୫ ଏକର ଧାନ ବିଲ ଅଛି। ସେ କହନ୍ତି, ବିଶେଷତଃ ଟ୍ରାକ୍ଟର୍ ଯୋଗେ ମୁଁ ଜମି ଚଷେ। ଯେଉଁଠାକୁ ଟ୍ରାକ୍ଟର୍ ଯାଇପାରିବ ନାହିଁ, ସେଠାରେ ହଳବଳଦ ନେଇ ଚାଷ କରେ।
ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପରାଷ୍ଟ୍ରପତି ଶ୍ରୀ ଏମ.ଭେଙ୍କେୟା ନାଇଡୁଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ତିନିଥର ବିଧାୟକ ହୋଇଥିବା ବିଜୁ ଜନତା ଦଳର ଡାବୁଗାଁ ବିଧାୟକ ଶ୍ରୀ ମନୋହର ରାନ୍ଧାରୀଙ୍କ କୃଷି କ୍ଷେତରେ ଏଭଳି ପ୍ରେରଣାଦାୟୀ କାର୍ଯ୍ୟକୁ ଭୂୟଶୀ-ପ୍ରଶଂସା କରିଛନ୍ତି ।
ପ୍ରବଳ ବର୍ଷା ଯୋଗୁଁ ଧାନଗଛ ପାଇଁ ପାଗଯୋଗ ଅନୁକୂଳ ଥିବାରୁ ଗତ ରବିବାର ଦିନ ମଧ୍ୟରେ ସେ ପୂଜାରୀପଡ଼ା ଗାଁରେ ଥିବା ତାଙ୍କ ବିଲରେ ତଳି ରୁଆ କାମ ଶେଷ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ନିମନ୍ତେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ଡାକରା ଆସିବା ପୂର୍ବରୁ ସେ ଓ ତାଙ୍କ ସହ କାମ କରୁଥିବା ଶ୍ରମିକମାନେ ରୁଆ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଗଷ୍ଟ ମାସରେ ତଳି ରୁଆ ଏବଂ ଶୀତଋତୁରେ ଧାନ କଟାବେଳେ ଗୋଟାଏ ମାସ ସେ ବିଲରେ ଉପସ୍ଥିତ ରହନ୍ତି। ଏଥିଯୋଗୁଁ ତାଙ୍କ ବିଧାୟକ କର୍ତ୍ତବ୍ୟ ସମ୍ପାଦନ କରିବାରେ କୌଣସି ଅସୁବିଧା ହେଉନଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବିଧାୟକ ଶ୍ରୀ ରନ୍ଧାରୀ ଲଗାତାର ଭାବେ ୩ଥର ବିଜୟୀ ହୋଇଥିବା ବେଳେ, ସେ ବିଭିନ୍ନ ସମୟରେ ଭିନ୍ନ ଢଙ୍ଗରେ ସମାଜସେବା କାମ କରିଆସୁଛନ୍ତି, ଯାହାକି ଗଣମାଧ୍ୟମରେ ଚର୍ଚ୍ଚାରେ ରୁହେ। ତେବେ ତାଙ୍କୁ ଖୋଦ ଉପରାଷ୍ଟ୍ରପତି ପ୍ରଶଂସା କରିବା ଘଟଣା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି। ବିଧାୟକ ଶ୍ରୀ ରନ୍ଧାରୀ ଉପ-ରାଷ୍ଟ୍ରପତିଙ୍କୁ କୃଞତା ଜଣାଇବା ସହ ସେ ଜଣେ ଚାଷୀ ଘରର ପୁଅ, ଚାଷ କାମ କରିବା ସହ ଲୋକଙ୍କ ସେବା କରିବାକୁ ଭଲ ପାଆନ୍ତି ବୋଲି ସେ କହିଛନ୍ତି। ଧାନଚାଷରୁ ସେ ବର୍ଷକୁ ୭/୮ ଲକ୍ଷ ଟଙ୍କା ଉପାର୍ଜନ କରନ୍ତି। ଏହାଛଡ଼ା ସେହି ଧାନକୁ କୁଟାଇ ୧୦ କ୍ବିଣ୍ଟାଲ୍ ଚାଉଳ ରଖନ୍ତି ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କୁ ରାନ୍ଧି ଖୁଆଇବାକୁ। ସେ କୁହନ୍ତି, “ସମ୍ପ୍ରତି ସଙ୍କଟରେ ଥିବା କୃଷିରେ ସମସ୍ତେ ଅଂଶଗ୍ରହଣ କରିବା ଉଚିତ। ନିଜର ଆବଶ୍ୟକତା ମୁତାବକ ଉତ୍ପାଦନ ରଖି ଅନ୍ୟମାନଙ୍କ ଖାଦ୍ୟ ନିମନ୍ତେ ବାକିତକ ବଜାରରେ ବିକ୍ରୟ କରିଦେବା ଉଚିତ। ଆଶା କରୁଛି ମୋର କୃଷିକାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଦେବ।”