ଆନ୍ଧ୍ରପ୍ରଦେଶ: ଚିତ୍ତୂର ନିକଟରେ ଏକ ଘରୋଇ ଦୁଗ୍ଧ କାରଖାନାରେ ଆମୋନିଆ ଗ୍ୟାସ ଲିକ ହେବା ଯୋଗୁଁ ୧୪ ଜଣ ମହିଳା କର୍ମଚାରୀଙ୍କ ସମେତ ୨୦ ଅସୁସ୍ଥ
ତିରୁପତି/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୧/୦୮: ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟ ଏମ୍. ବଣ୍ଡାପଲ୍ଲୀ ଗ୍ରାମରେ ଥିବା ‘ହାଟ୍ସନ୍ ଡାଇରି’ ୟୁନିଟ୍ରେ ଗତକାଲି ରାତି ପ୍ରାୟ ୯. ୩୦ରେ ଆମୋନିଆ ଗ୍ୟାସ୍ ଲିକ ହେବା ଯୋଗୁଁ ପ୍ରାୟ ୧୪ ଜଣ ମହିଳା କର୍ମଚାରୀଙ୍କ ସମେତ ୨୦ ଜଣ ଠିକା କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ କର୍ମଚାରୀ ନାଇଟ୍ ଡିୟୁଟି କରିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲେ ମଧ୍ୟ ସେମାନେ ସମସ୍ତେ ବିପଦମୁକ୍ତ ବୋଲି କୁହାଯାଉଛି। ଆବଶ୍ୟକ ହେଲେ ଉନ୍ନତ ଚିକିତ୍ସା ନିମନ୍ତେ ସେମାନଙ୍କୁ ତିରୁପତି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ।
ଦୁର୍ଘଟଣାର ଖବର ପାଇବା ମାତ୍ରେ ଜିଲ୍ଲାପାଳ ଭାରତ ନାରାୟଣ ଗୁପ୍ତା ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସେନ୍ଥିଲ କୁମାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଚିକିତ୍ସା ନିମନ୍ତେ ଅସୁସ୍ଥ ମହିଳାମାନଙ୍କୁ ତୁରନ୍ତ ଚିତ୍ତୂର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗଣମାଧ୍ୟମକୁ ଜିଲ୍ଲାପାଳ ନାରାୟଣ ଭାରତ ଗୁପ୍ତ କହିଛନ୍ତି, ଏତେ ଶୀଘ୍ର ଲିକ୍ର କାରଣ ସମ୍ବନ୍ଧରେ କହି ହେବନାହିଁ। ଆମୋନିଆ ଗ୍ୟାସ୍ ଯୋଗାଣ ହେଉଥିବା ପାଇପ୍ରେ ୱେଲ୍ଡିଙ୍ଗ୍ ହେବା ସମୟରେ ଗ୍ୟାସ୍ ଲିକ୍ କରିଥିଲା। ଗ୍ୟାସ୍ ଲିକ୍ ହେବା କାରଣରୁ କେତେ ଜଣ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଘଟଣାର କାରଣ ସଂକ୍ରାନ୍ତରେ ସବିଶେଷ ତଦନ୍ତ କରି ବିବରଣୀ ଦେବାକୁ ସରକାରୀ ଅଧିକାରୀ ମାନଙ୍କୁ ନେଇ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଛି।