ଚାଇନିଜ ଆପ ବନ୍ଦ ହେବା ପରେ ଚୀନକୁ ଆଉ ଏକ ଝଟକା: ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ଭାରତ ସରକାର – ଚୀନ କମ୍ପାନୀ ସହଭାଗିତାରେ ନିର୍ମାଣ ହୋଇଥାଆନ୍ତା ୪୪ଟି ସେମି ହାଇସ୍ପିଡ ଟ୍ରେନ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ଭାରତରେ ଚାଇନିଜ ଆପ ବନ୍ଦ ହେବା ପରେ ଏବେ ଚୀନକୁ ଆଉ ଏକ ଝଟକା ଲାଗିଛି। ଚୀନକୁ ଆଉ ଏକ ଝଟକା ଦେଇଛି ଭାରତ, ୪୪ଟି ସେମି ହାଇସ୍ପିଡ ଏକ୍ସପ୍ରେସ ଟ୍ରେନର ଚୁକ୍ତିନାମାକୁ ବାତିଲ କରିଛି ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ‘ବନ୍ଦେ ଭାରତ ଟ୍ରେନ୍’ ପାଇଁ ହୋଇଥିବା ଟେଣ୍ଡର ବାତିଲ କରାଯାଇଛି। ସପ୍ତାହେ ମଧ୍ୟରେ ଏଥିପାଇଁ ନୂଆ ଟେଣ୍ଡର କରାଯିବ। ଆଉ ଏଥିରେ ଭାରତୀୟ କଂପାନୀଙ୍କୁ ଅଗ୍ରାଧିକାର ଦିଆଯିବ। ଏଥିପାଇଁ ପୁନଃ ଟେଣ୍ଡର କରାଯିବ ବୋଲି ଭାରତୀୟ ରେଲ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି।
ସୂଚନା ଅନୁଯାୟୀ, ଗତ ବର୍ଷ ଏଥିପାଇଁ ଟେଣ୍ଡର ଜାରି କରାଯାଇଥିଲା। ଗତ ମାସରେ ଟେଣ୍ଡର ଖୋଲା ଯାଇଥିଲା ଏବଂ କେବଳ ଚୀନ୍ ସହିତ ମିଳିତ ଉଦ୍ୟମରେ ଥିବା ଜେଭି କମ୍ପାନୀ ଏହି ଚୁକ୍ତିନାମା ପାଇଥିଲା। ଏଥିରେ କେବଳ ସିଆରଆରସି ପାଇନିୟର ଇଲେକ୍ଟ୍ରିକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୬ ଜଣ ଆବେଦନକାରୀଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିଲା । ଚୁକ୍ତିନାମା ଅନୁଯାୟୀ, କମ୍ପାନୀ ୧୬ କୋଚ ବିଶିଷ୍ଟ ୪୪ଟି ବନ୍ଦେ ଭାରତ ଟ୍ରେନ ପାଇଁ ଏହି ଚୁକ୍ତି ହୋଇଥିଲା। ୨୦୧୫ରେ ଚାଇନାର CRRC ୟୋଙ୍ଗଜୀ ଇଲେକ୍ଟ୍ରିକ୍ କମ୍ପାନୀ ଲିମିଟେଡ୍ ଏବଂ ଗୁରୁଗ୍ରାମ ସ୍ଥିତ ପୟୋନିଅର୍ ଫିଲ୍-ମେଡ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଜେଭି କମ୍ପାନୀ ଗଠନ କରାଯାଇଥିଲା। ଏହି ଟେଣ୍ଡରକୁ ବାତିଲ କରି ଦିଆଯାଇଛି।
ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୪୪ଟି ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଟେଣ୍ଡରକୁ ରଦ୍ଦ କରି ଦିଆଯାଇଛି। ସପ୍ତାହେ ମଧ୍ୟରେ ନୂଆ ଟେଣ୍ଡର ଆହ୍ୱାନ କରାଯିବ ଓ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ।
ଚେନ୍ନାଇ ସ୍ଥିତ ଭାରତୀୟ ରେଳର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ପକ୍ଷରୁ ଜୁଲାଇ ୧୦ରେ ୪୪ଟି ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିରେ ସିଆରଆରସି ପାଓନିୟର ଇଲେକ୍ଟ୍ରିକ ପ୍ରାଇଭେଟ ଲିମିଟେଡ୍ ସହିତ BHEL, Bharat Industries, Sangrur, Electrowaves Electronics Pvt Ltd, Medha Servo Drives Pvt Ltd, ଓ Powernetics Equipment India Pvt Ltd ଭାଗ ନେଇଥିଲେ। ସୂଚନାଯୋଗ୍ୟ, ଗଲୱାନ ଘାଟିରେ ଚୀନ୍ ସେନାର ଅନୁପ୍ରବେଶ ପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଜାରି ରହିଛି। ଏହିକ୍ରମରେ ଚୀନ ନିର୍ମିତ ୫୯ଟି ଆପ୍କୁ ଭାରତରେ ବ୍ୟାନ୍ କରାଯାଇଛି।