ପୁରୀ, ବଗଲା ଧର୍ମଶାଳା ଜମି ପ୍ରସଙ୍ଗ: ବେଆଇନ ଭାବେ ବିକ୍ରି ହୋଇଥିବା ଜମିକୁ ଫେରାଇ ଆଣିବାକୁ ଅଣ୍ଟାଭିଡିଲା ବିଜେପି – ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଓଡିଶା ଆଗମନ
ଭୁବନେଶ୍ୱର/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ୧୯୦୫ ମସିହାରେ ବାବୁ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ବଗଲା ଧର୍ମଶାଳା ନିର୍ମାଣ କରି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ କୋଠରି ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମାଜିଷ୍ଟ୍ରେଟ ଏବଂ ଲଜିଂ ହାଉସ ଫଣ୍ଡ କମିଟି ସଭାପତିଙ୍କୁ ଦାନ କରିଥିଲେ। ବଗଲା ଧର୍ମଶାଳା ଜମି ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବାରୁ ତାହାକୁ କିପରି ୬ଜଣ ଲଜିଂ ମାଲିକଙ୍କୁ ଜିଲାପାଳ ବିକ୍ରି କଲେ ସେଥିନେଇ ଆଉ ଏକ ଆଇନଗତ ବିବାଦ ମୁଣ୍ଡ ଟେକିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ଜମି ବିକ୍ରି ପାଇଁ ରାଜ୍ୟ ସରକାର କିପରି ଅନୁମତି ଦେଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୯ ନଭେମ୍ବର ୪ତାରିଖ ପର୍ୟ୍ୟନ୍ତ ବଗଲା ଧର୍ମଶାଳା ଜମି ଲଜିଂ ହାଉସ ଫଣ୍ଡ ନାମରେ ରହିଥିଲା ମାତ୍ର ଜିଲାପାଳଙ୍କ ନିର୍ଦେଶକ୍ରମେ ଅତିରିକ୍ତ ତହସିଲଦାର ତାହାକୁ ରାଜସ୍ୱ ବିଭାଗ ନାମରେ ରେକର୍ଡ କରି ଦେଇଥିଲେ।
ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି କହିଛନ୍ତି ଯେ, ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ଜଗନ୍ନାଥ ବସ୍ତିଆ ଏକ ଜନସ୍ବାର୍ଥ ମାମଲା କରିଥିଲେ, କୋର୍ଟ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇବାକୁ କହିଥିଲେ, ମାତ୍ର ସରକାର ଏହାକୁ କୋର୍ଟରେ ଜଣାଇଲେ ନାହିଁ। ଆଜି ଏ ଘଟଣା ନେଇ ସେ ପୁରୀରେ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଏବଂ ଅପରାହ୍ନରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।
ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଆପତ୍ତି ବିହୀନ ପ୍ରମାଣପତ୍ର ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରସାଦ ଯୋଜନାରେ ସେଠାରେ କେବଳ ବିଶ୍ରାମସ୍ଥଳ ନିର୍ମାଣ କରାଯିବ ବୋଲି ଉପପ୍ରଶାସକ (ରାଜସ୍ବ) ଗତବର୍ଷ ଫେବୃଆରୀ ୫ତାରିଖରେ ପିକେଡିଏ ସଚିବଙ୍କୁ ଚିଠି ଲେଖିଥିଲେ। ଏହି ଜମି ୧୮୮୯-୯୦ ସାବକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିବା ସେ ଉଲ୍ଲେଖ କରିଥିଲେ। ଜମିର ସ୍ବତ୍ବ ଅମୃତମଣୋହି ରହିଥିଲା। ହାଲ୍ ରେକର୍ଡରେ ଏହି ଜମି ଲଜିଂ ହାଉସ ଫଣ୍ଡ କମିଟି ନାମରେ ରେକର୍ଡ ହୋଇଥିଲା। ବଗଲା ଧର୍ମଶାଳା ପୁନଃନିର୍ମାଣ ତଥା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ରାଜ୍ୟ ପର୍ୟ୍ୟଟନ ବିଭାଗ ସହକାରୀ ନିର୍ଦେଶକ ପିକେଡିଏ ଠାରୁ ଅନୁମତି ମାଗିଥିଲେ। ପ୍ରସାଦ ଯୋଜନାରେ ଏଥିପାଇଁ ୧୮କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ବଗଲା ଧର୍ମଶାଳା ଜମିରେ ବିଶ୍ରାମସ୍ଥଳ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସମେତ ପୁରୀ ତହସିଲଦାର, ପୌରସଂସ୍ଥା, ଅଗ୍ନିଶମ ବିଭାଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆପତ୍ତି ବିହୀନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିକେଡିଏ ଗୃହନିର୍ମାଣ ଅନୁମତି କମିଟି ବୈଠକରେ ସର୍ତ୍ତମୂଳକ ଭାବେ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ଅନୁମତି ଦେବାକୁ ସ୍ଥିର କରାଯାଇଥିଲା। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହାପରେ ଧର୍ମଶାଳା ଜମି ବିକ୍ରି ପାଇଁ ବାଟ ଫିଟିଥିଲା।
ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମକୁ ବିଶ୍ରାମସ୍ଥଳ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ନିର୍ମାଣ କାର୍ୟ୍ୟ ଚାଲିଥିବା ବେଳେ ତାହାକୁ ହଠାତ ବନ୍ଦ କରାଯାଇ ବଗଲା ଧର୍ମଶାଳା ଜମି ପ୍ଲଟିଂ କରାଯାଇଛି। ସେଥିରୁ ୬ଟି ପ୍ଲଟ ଭିତର ସେବାୟତ ନିଯୋଗ ସମେତ ୬ଜଣ ଲଜିଂ ମାଲିକଙ୍କୁ ଜିଲାପାଳ ବିକ୍ରି କରିଛନ୍ତି। ତେବେ ଏଥିନେଇ ଆଉ ଏକ ବଡ଼ ରହସ୍ୟ ଲୋକ ଲୋଚନକୁ ଆସିଛି। ବଗଲା ଧର୍ମଶାଳା ଜମି ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ବିକ୍ରି ପାଇଁ ଜିଲା ପ୍ରଶାସନ ସରକାରଙ୍କୁ ଦେଇଥିବା ପ୍ରସ୍ତାବରେ ଏହା ଦାନରେ ମିଳିଥିବା େନଇ କୌଣସି ତଥ୍ୟ ଦିଆଯାଇ ନଥିଲା। ସରକାରଙ୍କୁ ଏ ସମ୍ପର୍କରେ ଏପର୍ୟ୍ୟନ୍ତ ଅନ୍ଧାରରେ ରଖାଯାଇଥିବା ଜଣାପଡିଛି। ଏହାଛଡା ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପିକେଡିଏକୁ ଆପତ୍ତି ବିହୀନ ପ୍ରମାଣପତ୍ର ଦିଆଯାଇଥିବା ବେଳେ ତାହାକୁ ଖଣ୍ଡ ଖଣ୍ଡ କରି ବିକ୍ରି କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ପୁରୀ ସହରର କେଉଁ ସ୍ଥାନରେ ଜମି ଯୋଗାଯିବ ସେଥିନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତବର୍ଷ ସେପ୍ଟେମ୍ବର ମାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବଗଲା ଧର୍ମଶାଳା ଜମି ଲଜିଂ ମାଲିକଙ୍କୁ ଦେବାପାଇଁ ସେଥିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ଏହି ଜମି ଏବଂ ଧର୍ମଶାଳା ପ୍ରଦାନ କରିଥିବା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ନଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ସରକାରଙ୍କୁ ଜଣାଇବାର କୌଣସି ଆବଶ୍ୟକତା ନଥିବା ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ପ୍ରକାଶ କରିଛନ୍ତି। ବଗଲା ଜମିରେ ପୂର୍ବ ଭଳି ଧର୍ମଶାଳା ହେଉ, ବଗଲା ଗରିବଙ୍କୁ ପୂର୍ବ ଭଳି ସେବା ଯୋଗାଇ ଦେଉ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ଏହାକୁ ନେଇ ଚାରିଆଡୁ ଚାପ ବଢିବା ପରେ ଜିଲ୍ଲା ପ୍ରଶାସନ ଅକଳରେ ପଡ଼ିଛି। ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏବେ ବିଶ୍ବଐତିହ୍ୟ ନଗରୀ ପ୍ରକଳ୍ପ ସଙ୍କଟ ଭିତରକୁ ଠେଲି ହୋଇଯାଇଥିବା ନେଇ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବଗଲା ଧର୍ମଶାଳାକୁ ବିସ୍ଥାପିତମାନଙ୍କୁ ଟେକିଦେବା ଘଟଣାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଶାସନର ମନମାନି, ଏକଚାଟିଆ ନିଷ୍ପତ୍ତି ବିରୋଧରେ ଅଭିଯୋଗ ବଢିବାରେ ଲାଗିଲାଣି। ଗୋଟିଏ ପଟେ ବିକ୍ରି ହୋଇସାରିଥିବା ବଗଲା ଧର୍ମଶାଳା ଜମିକୁ ଫେରାଇ ଆଣିବାକୁ ପୁଣି ଥରେ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଗତକାଲି ପୁରୀ ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବଗଲା ସମ୍ମୁଖରେ ଧାରଣାରେ ବସିବା ସହିତ ଗରିବଙ୍କ ଜୀବନ ବଗଲାକୁ ବିକ୍ରି ନ କରିବାକୁ ଦାବି କରିଥିଲେ।