ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୮: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତ କୋଭିଡ ଯୋଦ୍ଧା ଡାକ୍ତରଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଅରୁଣ କୁମାର ଦାସଙ୍କ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି । ଗତ ପ୍ରାୟ ଚାରି ଦିନ ତଳେ ଡାକ୍ତର ଅରୁଣ କୁମାର ଦାସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡାକ୍ତର ଅରୁଣ କୁମାର ଦାସ ରାଉରକେଲା ସରକାରୀ ଡାକ୍ତରଖାନାରେ ଶଲ୍ୟ ଚିକିତ୍ସକ ଭାବେ କାଯ୍ୟ କରୁଥିଲେ । ଚାକିରିରୁ ଅବସର ନେବା ପରେ ତାଙ୍କୁ ପୁଣି ରାଉରକେଲା ସରକାରୀ ଡାକ୍ତରଖାନାରେ ଠିକା ନିଯୁକ୍ତି ମିଳିଥିଲା ଏବଂ ସେ ଡାକ୍ତରଖାନାର ବର୍ହିବିଭାଗରେ ଡ୍ୟୁଟି କରୁଥିଲେ । ସପରିବାର ସେ ରାଉରକେଲା କୋଏଲ ନଗରରେ ରହୁଥିଲେ । ଆଜି ସକାଳେ ହାଇଟେକ କୋଭିଡ ହସ୍ପିଟାଲରେ ଡାକ୍ତର ଅରୁଣ କୁମାର ଦାସଙ୍କର ମୃତ୍ୟୁ ହୋଇଥିବା ନେଇ ସୁନ୍ଦରଗଡ଼ ସିଡିଏମଓ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ଗୋଟିଏ ବେଳେ ତାଙ୍କୁ କରୋନା ଯୋଦ୍ଧା ଭାବେ ଗାର୍ଡ ଅଫ ଅନର୍ ଦିଆଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ପୁରୁଷ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ଏବଂ ସେମାନଙ୍କ ବୟସ ଯଥାକ୍ରମେ ୫୪ ବର୍ଷ ଓ ୬୦ ବର୍ଷ ତଥା ଜିଲ୍ଲାରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ଛୁଇଁଛି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ୨୮୯୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନାରେ ୯ଜଣଙ୍କ ମୃତ୍ୟୁ ହୋଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି।