ପର୍ଯ୍ୟବେକ୍ଷକ ଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେଲେ କର୍ମୀ
ରାଜଗାଙ୍ଗପୁର ୦୪/୦୩/୨୦୨୨ କଳିଙ୍ଗ ଜ୍ୟୋତି(ସୌମ୍ୟଜୀତ ସ୍ଵାଇଁ) : ପୌରନିର୍ବାଚନ ପୂର୍ବରୁ ପଦାରେ ପଡିଲା ବିଜେଡ଼ି ର ଗୋଷ୍ଠୀ କନ୍ଦଳ। ଶୃଙ୍ଖଳିତ ଦଳ ବୋଲାଉଥିବା ବିଜେଡି ଦଳର ବିଶୃଙ୍ଖଳିତ କାର୍ଯ୍ୟକ୍ରମ ସହରବାସୀ ଙ୍କୁ ଦ୍ୱନ୍ଦ ରେ ପକାଇଛି। ନିର୍ବାଚନ ତାରିଖ ପାଖେଇ ଆସୁଛି । ୨ ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ର ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହି ମଧ୍ୟରେ କିଛି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କିନ୍ତୁ ୩ ପ୍ରମୁଖ ଦଳ ମଧ୍ୟରୁ କେହି ହେଲେ ପ୍ରାର୍ଥୀ ପତ୍ର ଦାଖଲ କରିନାହାନ୍ତି ଯାହା ସହରରେ ରାଜନୀତି କୁ ସରଗରମ କରିଛି। ରାଜଗାଙ୍ଗପୁରରେ ପଞ୍ଚାୟତ ନିର୍ବାଚନ ରେ ବିଜେଡି ବାଜି ମାରିଥିବା ବେଳେ କାଉନସିଲର ଓ ଚେୟାରମ୍ୟାନ ଟିକେଟ ଦଳ କାହାକୁ ଦବ ସେନେଇ ଦଳ ମଧ୍ୟରେ ଅଙ୍କକଷା ଚାଲିଛି। ଆଶାୟୀ ପ୍ରାର୍ଥୀ ଙ୍କ ସଂଖ୍ୟ ଅଧିକ ହେବାରୁ ପ୍ରାର୍ଥୀ ଚୟନ କରିବା ଚୟନ କର୍ତ୍ତା ଙ୍କୁ ଦ୍ୱନ୍ଦ ରେ ପକାଇଛି। ଆଜି ପୌରନିର୍ବାଚନ କୁ ଆଖି ଆଗରେ ରଖି କୁନୁମୁରୁ ଠାରେ ଏକ ସାଧାରଣ ବୈଠକର ଆୟୋଜନ କରାଯାଇଥିଲା କିନ୍ତୁ ଏହି ବୈଠକରେ କିଛି ଆଗଧାଡ଼ିର ନେତା ନେତ୍ରୀ ମାନଙ୍କୁ ଅଣଦେଖା କରାଯାଇଥିଲା। ଦଳ ମଧ୍ୟରେ ଏକତା ନଥିବାରୁ ରାଜଗାଙ୍ଗପୁର ବିଜେଡିର ଗୋଟିଏ ଗୋଷ୍ଠୀ କୁନୁମୁରୁ ରେ ଥିଲା ବେଳେ ଅନ୍ୟ ଗୋଟେ ଗୋଷ୍ଠୀ ଜାମପାଲି ଛକରେ ରହିଥିଲେ। ଏଥିରୁ ବିଜେଡିର ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ବାରି ହେଉଥିଲା। ରାଜଗାଙ୍ଗପୁର ଦାଇତ୍ଵ ରେ ଥିବା ପର୍ଯ୍ୟବେକ୍ଷକ ଦୁର୍ଗା ସାମନ୍ତରାୟ କୁନୁମୁରୁ ସ୍ଥିତ ସଭାକୁ ଯାଉଥିବା ବେଳେ ଜାମପାଲି ନିକଟରେ ଥିବା ବିଜେଡ଼ି ର ଏକ ଗୋଷ୍ଠି ତାଙ୍କୁ ବିରୋଧ କରିଥିଲେ। ଦୁର୍ଗା ସାମନ୍ତରାୟ ରାଜଗାଙ୍ଗପୁର ପର୍ଯ୍ୟବେକ୍ଷକ ଦାଇତ୍ୱ ନେବା ଦିନ ଠାରୁ ରାଜଗାଙ୍ଗପୁର ବିଜେଡି ରେ କନ୍ଦଳ ବଢ଼ିବାରେ ଲାଗିଛି ।ବୈଠକଟି ପୋୖରାଞ୍ଚଳରେ ନହୋଇ ପଞ୍ଚାୟତରେ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଟିକେଟ ବଣ୍ଟନରେ କିଛି ମୁଷ୍ଟିମୟ ଲୋକଙ୍କର ହାତ ରହିଛି ବୋଲି ଦଳ ମଧ୍ୟରେ ବିଶୃଙ୍ଖଳା ଦେଖାଇଛି। ରାଜଗାଙ୍ଗପୁର ନିର୍ବାଚନରେ ଅନ୍ୟ ବ୍ଲକ ର କେତେକ ଆଗଧାଡ଼ିର ନେତା ଙ୍କ ଉପସ୍ଥିତି ଦଳ ମଧ୍ୟରେ କନ୍ଦଳ ସୃଷ୍ଟି କରୁଛି। ପର୍ଯ୍ୟବେକ୍ଷକ ଦୁର୍ଗା ସାମନ୍ତରାୟ ଙ୍କୁ ବିରୋଧ କରିବାରୁ କୁନୁମୁରୁରେ ଆୟୋଜନ କରାଯାଇଥିବା ବୈଠକକୁ ବାତିଲ କରାଯାଇଥିଲା। ଏଥିରୁ ଜଣାପଡୁଛି ରାଜଗାଙ୍ଗପୁର ବିଜେଡିରେ ଗୋଷ୍ଠି କନ୍ଦଳ ତୀବ୍ର ରୂପ ଧାରଣ କରିଛି।