ମୁମ୍ବାଇ ୧୬/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସଂଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ବଡ ଝଟକା ଲାଗୁଛି। ନିକଟରେ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିଲା । ଯାହାପରେ ସମଗ୍ର ଦୁନିଆ ଦୁଃଖରେ ଭାଙ୍ଗିପଡିଥିଲା। ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଗାୟକ ତଥା ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ଜୁହୁର କ୍ରିଟି କେୟାର ହସ୍ପିଟାଲରେ ଗାୟକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଭାରତରେ ‘ଡିସ୍କୋ କିଙ୍ଗ’ ଭାବରେ ଜଣାଶୁଣା ବାପି ଲାହିରି ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତାରେ ଶାସ୍ତ୍ରୀୟ ସଙ୍ଗୀତରେ ସମୃଦ୍ଧ ପରମ୍ପରା ଥିବା ଏକ ପରିବାରର ଥିଲେ। ସେ ୧୯ ବର୍ଷ ବୟସରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ବାପା ଆପରେଶ ଲାହିରି ଜଣେ ପ୍ରସିଦ୍ଧ ବଙ୍ଗୀୟ ଗାୟକ ଏବଂ ତାଙ୍କ ମା’ ବଂସାରୀ ଲାହିରି ଜଣେ ସଂଗୀତଜ୍ଞ-ଗାୟିକା ଥିଲେ ।
ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇଯାଇଥିଲେ ।ଘରେ ତାଙ୍କର ହ୍ବିଲ ଚେୟାରରେ ଚଳପ୍ରଚଳ କରୁଥିଲେ । ପରେ ଶରୀର ଅଧିକ ଖରାପ ହେବାରୁ ତାଙ୍କୁ ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ସେ ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।