ଭୁବନେଶ୍ବର ୨୨/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଛି। ତେବେ ଯାଜପୁର ଜିଲାର ପଛୁଆ ଅଞ୍ଚଳ ନଗଡାରେ ରେକର୍ଡ ମତଦାନ ହୋଇଛି।ନଗଡାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଛି। ସେହିପରି ମାଓ ଅଧ୍ୟୁଷିତ ନିୟମଗିରିରେ ୮୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।
ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମୋଟ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୨୫୪ ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭୦୮୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଅଛି । ଏହି ପର୍ଯ୍ୟାୟରେ ମୋଟ ୫୧ଲକ୍ଷ ୩୧ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଅଛି । ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୬୬ ବ୍ଳକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଅଛି ଏବଂ ଏହି ସବୁ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି। ଭୋଟ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।