
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୭ : କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରୁଥିବା ଏହାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ଫଳାଫଳ ରିପୋର୍ଟରେ ପ୍ରକାଶ ପାଇଛି ।

ବିଜ୍ଞାନ ଭିତ୍ତିକ ଜର୍ଣ୍ଣାଲ୍ ଲାସେନ୍ଟ ଏହା ପ୍ରକାଶ ପାଇଛି ଏହା ମଣିଷ ଶରୀରରେ କୌଣସି କ୍ଷତିକାରକ ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରୁନାହିଁ। ଦୁଇଟି ଡୋଜ୍ ନେଇଥିବା ୧୦ ଜଣ ସ୍ୱେଚ୍ଛାସେବୀଙ୍କ ଠାରେ ଶକ୍ତିଶାଳୀ ରୋଗ ପ୍ରତିରୋଧ କ୍ଷମତା ବଢ଼ିଥିବା ଜଣାପଡ଼ିଛି। ଏପ୍ରିଲ ମାସରେ କରୋନା ସମ୍ଭାବ୍ୟ ଟୀକାର ଫେଜ୍ ୧ ଓ ଫେଜ୍ ୨ ହ୍ୟୁମାନ୍ ଟ୍ରାଏଲ୍ ଆରମ୍ଭ କରିଥିଲା ଅକ୍ସଫୋର୍ଡ ୟୁନିଭର୍ସିଟି। ଏହି ଗବେଷଣାରେ ପ୍ରାଥମିକ ସଫଳତା ମିଳିବା ପରେ ଗବେଷକଙ୍କୁ ବଧେଇ ଦେବା ସହ, ଆଗକୁ ଆହୁରି ପରୀକ୍ଷଣର ଆବଶ୍ୟକତା ଥିବା ଟୁଇଟ୍ କରିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍।

AstraZeneca କମ୍ପାନୀ ଏହି ଭାକ୍ସିନ ଉତ୍ପାଦନ କରିବ। ସେହିପରି ଭାରତୀୟ କମ୍ପାନୀ ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII) ଏହି ଯୋଜନାରେ ସାମିଲ ଅଛି। SII ଏହି ଭାକ୍ସିନର ଟ୍ରାଏଲ ଭାରତରେ କରିବାକୁ ଚାହୁଁଛି। ଲାଇସେନ୍ସ ମିଳିବା ମାତ୍ରେ ଉତ୍ପାଦନ ଆରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ବିଶ୍ୱର ସବୁଠାରୁ ବଡ ଭାକ୍ସିନ ମାନୁଫାକ୍ଚର କମ୍ପାନୀ SIIର ମୁଖ୍ୟ ଅଦର ପୁନାବାଲା (Adar Poonawalla)ଙ୍କ କହିବା ଅନୁଯାୟୀ, AZD1222 ଭାକ୍ସିନର ଫେଜ୍-୧ ଟ୍ରାଏଲରୁ ବହୁତ ଭଲ ରେଜଲ୍ଟ ମିଳିଛି। ଏହାକୁ ନେଇ ଗବେଷକମାନେ ଉତ୍ସାହିତ ଅଛନ୍ତି। ଆଗକୁ ଆହୁରି ଭଲ ମିଳିବ।
ଦ ଲାସେନ୍ଟ ଜର୍ଣ୍ଣାଲ୍ରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଭାକ୍ସିନ ୧,୦୭୭ ଲୋକଙ୍କ ଉପେର ପରୀକ୍ଷା କରାଯାଇଛି। ପ୍ରୟୋଗ ପରେ ଜଣାପଡ଼ିଛି, ଭାକ୍ସିନ ଯୋଗୁ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ତିଆରି ହୋଇ ପାରୁଛି।
ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ସମସ୍ତ ଭାକ୍ସିନ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରୁଛି। କିନ୍ତୁ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ ଏହ ଭାକ୍ସିନ ଆଣ୍ଟିବଡ଼ି ସହ ହ୍ୱାଇଟ୍ ବ୍ଲଡ ସେଲ ମଧ୍ୟ ତିଆରି କରୁଛି।