ସାଂସଦ ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ଉପରେ ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ପତ୍ନୀ ! !

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ ପତ୍ନୀ । କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଛନ୍ତି ବର୍ଷା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । କହିଛନ୍ତି, ତାଙ୍କ ପାଖକୁ କୌଣସି ଲିଗାଲ ନୋଟିସ ଆସି ନାହିଁ ।

ଓଲିଉଡ୍ର ଲୋକପ୍ରିୟ କଳାକାର ଅନୁଭବ-ବର୍ଷାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାର ସୂଚନା ରହିଛି । ଓଲିଉଡ୍ର ଲୋକପ୍ରିୟ ଯୋଡ଼ି ଭାବେ ଦୁହେଁ ଦର୍ଶକଙ୍କୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିବାର ସୂଚନା ରହିଛି। ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍ଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ହିଂସା ନିରୋଧ ଆଇନ୍ ଧାରା-୧୨ ଅନୁଯାୟୀ ମାମଲା ରୁଜୁ ହୋଇଥିବାର ସୂଚନା ରହିଛି । ଆସନ୍ତା ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାର ସୂଚନା ରହିଛି । ମାମଲା ନେଇ ଜିଲ୍ଲା କୋର୍ଟର ଅଫିସିଆଲ୍ ଓ୍ବେବସାଇଟ୍ରେ ସୂଚନା ରହିଛି ।

ସଦ୍ୟତମ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ବର୍ଷା ମାନସିକ- ଶାରିରୀକ ନିର୍ଯାତନାର ଶିକାର ହୋଇଥିବାର ସୂଚନା ରହିଛି । ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା ସିଆରଏଲଏମସି ନମ୍ବର ୯୪/୨୦୨୦ରେ ପ୍ରୋଟେକ୍ସନ ଅଫ ୱମେନ ଫ୍ରମ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଓ ୨୨ରେ ମକବ୍ଦମା ଦାଏର କରିଛନ୍ତି । ମକଦ୍ଦମାଟି ମାନ୍ୟବର ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କ ନିକଟକୁ ପଠାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ତେବେ ଏହି ଘଟଣା ସମ୍ପର୍କରେ ବିଜେଡି ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କିଛି ଲିଗାଲ୍ ନୋଟିସ୍ ଆସିନି, ଆସିଲେ ଏହା ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି ।