ପୁଣି ଇତିହାସ ରଚିଲା ଡି.ଆର.ଡି.ଓ. : ଆଜି ଧାମରାସ୍ଥ ଅବଦୁଲ୍ କଲାମ ଦ୍ୱୀପରୁ ହେଲା ହାଇପରସୋନିକ ଗତିଶୀଳଯାନର ସଫଳ ପରୀକ୍ଷଣ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ବାଲେଶ୍ୱର/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ଆଜି ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡରୁ ହାଇପରସୋନିକ ଗତିଶୀଳଯାନ (ଏଚ୍ଏସଟିଡିଭି / ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେସନ୍ ଭେହିକିଲ୍) ପରୀକ୍ଷଣ ହୋଇଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/09/drdo.jpg?resize=447%2C806&ssl=1)
ଆଜି ପାଗ ଅନୁକୂଳ ରହିଥିବା ହେତୁ ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୧ଟା ୩ ମିନିଟରେ ଏହାର ସଫଳ ପରୀକ୍ଷଣ ହୋଇଥିବା ସୂଚନା ମିଳିଛି, ଏଥିଲାଗି ପୂର୍ବରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଏଚ୍ଏସ୍ଟିଡିଭିର ସଫଳ ପରୀକ୍ଷଣ ପରେ ଡିଆରଡିଓ ସଫଳତାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ବୋଲି କୁହାଯାଉଛି।
ଏଚଏସଟିଡିଭିର ଡିଜାଇନ୍ ୨୦୦୪ରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୧୦ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା। ଏଚଏସଟିଡିଭି ଦ୍ୱାରା ଭାରତ ମହାକାଶକୁ ଖୁବ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ। ଖାଲି ସେତିକି ନୁହେଁ, ଏହି ଅତ୍ୟାଧୁନିକ ସାଧନକୁ ଉପଯୋଗ କରି ଭାରତ ଆକାଶମାର୍ଗରେ ଶତ୍ରୁପକ୍ଷର ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ଓ ସମୁଦ୍ର ପତ୍ତନଠାରୁ ମାତ୍ର ୩୨ କିମି ଉଚ୍ଚରୁ ସବୁପ୍ରକାର କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିପାରିବ। ପରୀକ୍ଷଣ ସଫଳ ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।