ଅଯୋଧ୍ୟାରେ ମସ୍‌ଜିଦ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେନି ଯୋଗୀ

0 379
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮ : ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ଉତ୍ସାହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମସ୍‌ଜିଦକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି। ସୁପ୍ରମିକୋର୍ଟ ନିର୍ଦେଶକ୍ରମେ ମୁସଲମାନମାନଙ୍କୁ ବାବ୍ରି ମସ୍‌ଜିଦର ବିକଳ୍ପ ସ୍ଥାନ ଅଯୋଧ୍ୟା ସହରରୁ ପ୍ରାୟ ୨୦କିମି ବାହାରେ ପ୍ରଦାନ କରାଯାଇଥିବାବେଳେ ଏଠାରେ ପ୍ରସ୍ତାବିତ ମସ୍‌ଜିଦ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ଯୋଗୀ କହିଛନ୍ତି।

ଏକ ଇଲେକ୍‌ଟ୍ରୋନିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ ହିନ୍ଦୁ ଏବଂ ଜଣେ ଯୋଗୀ; ତେଣୁ ମସ୍‌ଜିଦ ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ଉତ୍ସବକୁ ଯିବେ ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କୌଣସି ଧାର୍ମିକ ବା ସାମ୍ପ୍ରଦାୟିକ ବିଦ୍ୱେଶ ନାହିଁ; କିନ୍ତୁ ଯୋଗୀ ଭାବେ ତାଙ୍କର ସ୍ୱତନ୍ତ୍ର ଉପାସନା ବିଧି ରହିଛି। ଏହାକୁ ​ସେ ଅବମାନନା କରିପାରିବେ ନାହିଁ; ତେଣୁ ମସ୍‌ଜିଦ ଉଦ୍‌ଘାଟନ ଉତ୍ସବରେ ଯୋଗଦେବାର ପ୍ରଶ୍ନ ଉଠୁ ନାହିଁ। ବାବ୍‌ରୀ ମସ୍‌ଜିଦ ମାମଲାରେ ସେ ବାଦୀ କିମ୍ବା ପ୍ରତିବାଦୀ ନୁହନ୍ତି; ତେଣୁ ତାଙ୍କୁ ମୁସଲମାନମାନେ ନିମନ୍ତ୍ରଣ କରିବାର ଆବଶ୍ୟକତା ନାହିଁ କିମ୍ବା ସେ ଯିବାର ମଧ୍ୟ ପ୍ରଶ୍ନ ଉଠୁ ନାହିଁ ବୋଲି ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି। ମସ୍‌ଜିଦ ଉଦ୍‌ଘାଟନ ପାଇଁ ଯେଉଁ ଦିନ ତାଙ୍କୁ ନିମନ୍ତ୍ରଣ କରାଯିବ ସେହି ଦିନ ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟିହେବ; ତେଣୁ ଏଭଳି ବିପଦରୁ ଦୂରେଇ ରହି ସେ ବିକାଶମୂଳକ କାମ ପ୍ରତି ଧ୍ୟାନ ଦେବାକୁ ଚାହୁଁଛନ୍ତି। ଏଭଳି ବିବାଦରୁ ଦୂରେଇ ରହିବା ଭଲ। ରୋଜା ଓ ଇଫ୍‌ତାର ପାର୍ଟିରେ ଯୋଗଦେଇ ସେ ଛଦ୍ମ ଧର୍ମନିରପେକ୍ଷତା ପ୍ରଦର୍ଶନ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଯୋଗୀଙ୍କ ଏଭଳି ମନ୍ତବ୍ୟ ନେଇ ବିରୋଧୀ ଦଳ ସମାଜବାଦୀ ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି। ଆଦିତ୍ୟନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ; କୌଣସି ଧର୍ମାଲମ୍ବୀଙ୍କର ନୁହେଁ। ସେ ସବୁ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଏଭଳି ମନ୍ତବ୍ୟ ଆପତ୍ତିଜନକ।

Leave A Reply

Your email address will not be published.

thirteen + five =

error: Content is protected !!
Open chat