

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭:ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶଶାଙ୍କ ମନୋହର। ଶଶାଙ୍କ ଦୁଇବର୍ଷର କାର୍ଯ୍ୟକାଳ ପରେ ନିଜ ପଦ ଛାଡ଼ିଛନ୍ତି। ତାଙ୍କ ସ୍ଥାନରେ ଭାଇସ୍ ଚେୟାରମ୍ୟାନ୍ ଥିବା ହଂକଂର ଇମ୍ରାନ ଖ୍ୱାଜା ନିର୍ବାଚନ ହେବ ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିବେ।
ଆଇସିସି ପକ୍ଷରୁ କୁହାଯାଇଛି, “ଦୁଇବର୍ଷର କାର୍ଯ୍ୟକାଳ ଶଶାଙ୍କ ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଆଇସିସି ବୋର୍ଡ, କର୍ମଚାରୀ ଓ ପୂରା କ୍ରିକେଟ୍ ପରିବାର ପକ୍ଷରୁ ମନୋହରଙ୍କ ନେତୃତ୍ୱ ଏବଂ ଆଇସିସି ଅଧ୍ୟକ୍ଷ ଭାବେ କ୍ରିକେଟ୍ ପାଇଁ କରିଥିବା ସମସ୍ତ କାମ ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆମେ ତାଙ୍କୁ ଏବଂ ତାଙ୍କ ପରିବାରର ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛୁ।”

ସେହିପରି ଆଇସିସି ଉପାଧ୍ୟକ୍ଷ ଇମ୍ରାନ୍ କହିଛନ୍ତି, “ମନୋହର ନିଷ୍ଠାର ସହ ଖେଳର ବିକାଶ ପାଇଁ ଯେଉଁଭଳି କାମ କରିଛନ୍ତି, ସେଥିପାଇଁ ଆଇସିସି ବୋର୍ଡର ସମସ୍ତ ସଦସ୍ୟ ତାଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି।”
ସୂଚନାଯୋଗ୍ୟ, ମନୋହର ଦୁଇଥର ଆଇସିସିର ଅଧ୍ୟକ୍ଷ ରହିଆସିଛନ୍ତି। ମନୋହର ନଭେମ୍ବର, ୨୦୧୫ରେ ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ବହନ କରିଥିଲେ। ଏହା ପରେ ସେ ୨୦୧୮ରେ ପୁନର୍ବାର ନିଦ୍ୱର୍ନ୍ଦରେ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।
ଏବେ ମନୋହରଙ୍କ ସ୍ଥାନ କିଏ ନେବ, ସେ ନେଇ ଆଇସିସି ଆସନ୍ତା ସପ୍ତାହରେ ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ଜାରି କରିପାରେ। ଆଇସିସି ଅଧ୍ୟକ୍ଷ ପଦ ଦୌଡ଼ରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡର ମୁଖ୍ୟ କଲିନ୍ସ ଗ୍ରେଭସ ଆଗରେ ରହିଛନ୍ତି।