ଆଫଗାନିସ୍ତାନ ଲୋକଙ୍କ ପାଇଁ ଔଷଧ ପଠାଇଲା ଭାରତ

0 425
greentech

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଛି ଭାରତ । ଗତକାଲି କାବୁଲରୁ ୯୪ ଆଫଗାନ ଶିଖ ଓ ହିନ୍ଦୁ ଏବଂ ୧୦ ଜଣ ଭାରତୀୟଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ବିମାନ ଔଷଧ ଓ ଡାକ୍ତରୀ ଉପକରଣ ସହ କାବୁଲ ଫେରିଯାଇଛି । କାବୁଲରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନଙ୍କୁ ଏହି ଔଷଧ ହସ୍ତାନ୍ତର କରାଯିବ ।

ଏହି ବିମାନରେ ଭାରତ ସରକାରଙ୍କ ପକ୍ଷରୁ ମୋଟ ୧.୬ ମେଟ୍ରିକ ଟନ ଜୀବନ ରକ୍ଷାକାରୀ ଔଷଧ ରହିଛି । ଭାରତର ଏହି ସହାୟତାକୁ  ନୂଆଦିଲ୍ଲୀରେ ଥିବା ଆଫଗାନ ରାଷ୍ଟ୍ରଦୂତ ପ୍ରସଂଶା କରିବା ସହ ଆଫଗାନିସ୍ତାନ ଲୋକଙ୍କ ପାଇଁ ଭାରତର ଲୋକଙ୍କ ଉପହାର ବୋଲି କହିଛନ୍ତି ।

ଗତ ଅଗଷ୍ଟ ମାସରେ ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ମାନବୀୟ ସହାୟତା ପଠାଯାଇଛି ।  ଆଫଗାନିସ୍ତାନର ତାଲିବାନ ସରକାରକୁ ଭାରତ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନଥିଲେ ବି ମାନବୀୟ ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଥିଲା । ଆଗାମୀ ଦିନରେ ଆଫଗାନିସ୍ତାନକୁ ପ୍ରାୟ ୫୦ ହଜାର ଟନ ଗହମ ଯୋଗାଇବାକୁ ଭାରତ ପ୍ରତିଶ୍ରୁତି ଦେଇଛି । ପାକିସ୍ତାନ ବାଟ ଦେଇ ସଡ଼କ ପଥରେ ଏହି ଗହମ ଆଫଗାନିସ୍ତାନକୁ ଯିବ ।

ଗତକାଲି ଆସିଥିବା ବିମାନରେ ୧୦୪ ଜଣ ଲୋକଙ୍କ ବ୍ୟତୀତ କାବୁଲର ଆଶାମାଇ ମନ୍ଦିରରେ ଥିବା କେତେକ ଦୂର୍ଲଭ ହିନ୍ଦୁ ଧର୍ମଶାସ୍ତ୍ର ଓ ଶିଖମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ଗୁରୁଗ୍ରନ୍ଥ ସାହେବକୁ ଭାରତ ଅଣାଯାଇଥିଲା ।

Leave A Reply

Your email address will not be published.

19 + 5 =

error: Content is protected !!
Open chat