ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ସବୁ ଅପେକ୍ଷାର ଅନ୍ତ ଘଟାଇ ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ କରୋନାକୁ ମାତ ଦେଇପାରୁଥିବା ଟିକା ବାହାର କରିବାରେ ସକ୍ଷମ ହୋଇଛି। ଆଜି ରୁଷ କରୋନା ଟିକା ବାହାର କରିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଯଦି ସବୁକିଛି ଠିକ୍ଠାକ୍ ରୁହେ ଏବଂ ଭାକ୍ସିନକୁ ରେଗୁଲେଟରୀ ଆପ୍ରୁଭାଲ ମିଳେ ତେବେ ଏହା ହେବ ବିଶ୍ୱର ପ୍ରଥମ କୋଭିଡ-୧୯ ଭାକ୍ସିନ । ରୁଷ ଗଣମାଧ୍ୟମର ସୂଚନା ଅନୁଯାୟୀ, ଟିକା ବାହାରିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ୨ ଝିଅଙ୍କ ମଧ୍ୟରୁ ଜଣଙ୍କ ଉପରେ ପ୍ରୟୋଗ କରାଯାଇଛି। ଟିକା ନେବା ପରେ ଝିଅ ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ପୁଟିନ ଟ୍ୱିଟ କରି ସୂଚନା ଦେଇଛନ୍ତି।
ମସ୍କୋରେ ଅବସ୍ଥାପିତ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି ଟିକାକୁ ପ୍ରସ୍ତୁତ କରାଯାଇଛି। ଏହି ଟିକାକୁ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିବା ପୁଟିନ ଘୋଷଣା କରିଛନ୍ତି। ରୁଷ ପ୍ରତିରକ୍ଷା ବିଭାଗ ସହ ମିଶି ଗାମାଲେୟା ଏହି ଟିକାକୁ ପ୍ରସ୍ତୁତ କରିଛି। ମସ୍କୋର ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି କରୋନା ଟିକାକୁ ପ୍ରସ୍ତୁତ କରାଯାଇଛି। ଜଣେ ବ୍ୟକ୍ତି ଏହାକୁ ବ୍ୟବହାର କରିବା ପରେ ତା’ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ। ପରୀକ୍ଷା ବେଳେ ଜଣାପଡ଼ିଛି ଯେ କିଛି ଲୋକ କରୋନାକୁ ମାତ ଦେଇ ପାରୁଥିବା ଟିକା ନେବା ପରେ ଜ୍ୱରରେ ପୀଡ଼ିତ ହେଉଛନ୍ତି। ତେବେ ଏଥିରେ ଭୟଭୀତ ନ ହୋଇ ଲୋକମାନେ ପାରାସିଟାମଲ ଖାଇଇଲେ ସୁସ୍ଥ ହୋଇଯିବେ। ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ସିଷ୍ଟମକୁ ଶକ୍ତିଶାଳୀ ବୁଷ୍ଟ ମିଳିଥାଏ। ଏହି କାରଣରୁ କିଛି ଲୋକଙ୍କ ଶରୀରରେ ଜ୍ୱର ଆସିଥାଏ। କିନ୍ତୁ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।
ଖୁବଶୀଘ୍ର ଏହା ସର୍ବସାଧାରଣରେ ବ୍ୟବହାର ପାଇଁ ଉପଲବ୍ଧ ହେବ। ସେହିପରି ପ୍ରଥମେ ରୁଷ କରୋନା ଯୋଦ୍ଧା ଯଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକଙ୍କୁ ଏହି ଟିକା ଦେଇ ସେମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଲକ୍ଷ୍ୟ ରଖିଛି। ଟିକାର ପରୀକ୍ଷା ବେଳେ ମଣିଷ ଶରୀରରେ ଏହା କୌଣସି କ୍ଷତି କରିନାହିଁ। ସେପ୍ଟେମ୍ବର ମାସରୁ ବିପୁଳ ପରିମାଣରେ ଏହି ଟିକାର ଉତ୍ପାଦନ କରାଯିବ। ଅକ୍ଟୋବର ମାସରୁ ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଲୋକଙ୍କ ଉପରେ ପ୍ରୟୋଗ କରାଯିବ।
ରିପୋର୍ଟ ମୁତାବକ, ଭାଇରସ ଉପରେ କାମ କରୁଥିବା ବୈଜ୍ଞାନିକ, ଗବେଷକ ଓ ଉତ୍ପାଦନ କାମରେ ନିୟୋଜିତ ଥିବା ଲୋକମାନେ ମଧ୍ୟ ଟିକାର ବ୍ୟବହାର କରି ସାରିଛନ୍ତି। ସେମାନଙ୍କ ଶରୀରରେ କୌଣସି ବି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ସେହିପରି ସେପ୍ଟେମ୍ବର ମାସରେ ଡାକ୍ତରମାନଙ୍କୁ କରୋନା ଟିକା ପ୍ରଦାନ କରାଯିବ ବୋଲି ସେଠାକାର ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ଭାକ୍ସିନ ପ୍ରସ୍ତୁତି କରିବାରେ ସଫଳ ହୋଇ ନ ଥିବାବେଳେ ଋଷକୁ ଏହି ସଫଳତା ମିଳିଛି। ପ୍ରଥମେ ଏହି ଭାକ୍ସିନ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେବ ବୋଲି ନିଷ୍ପତ୍ତି ନେଇଛି ମସ୍କୋ। ଏହା ପରେ ବୟସ୍କମାନଙ୍କୁ ଦିଆଯିବ। ତେବେ ଏହି ଭାକ୍ସିନ ଅଧିକରୁ ଅଧିକ ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବ।ଅନ୍ୟପକ୍ଷରେ ରୁଷ ଦୁନିଆର ପ୍ରଥମ କରୋନା ଟିକା ବାହାର କରିଥିବା ଘୋଷଣା କରିଥିଲେ ହେଁ ଏକାଧିକ ଦେଶ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ସତ୍ୟାସତ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ରୁଷ କେବେ ଏହାକୁ ପରୀକ୍ଷା କଲା ଓ କାହା ଉପରେ ପରୀକ୍ଷା କଲା, ତା’ର ତଥ୍ୟ କାହା ପାଖରେ ନାହିଁ। ଯାହା ବି ହେଉ, ଋଷର ଏହି ଭାକ୍ସିନ ଉପରେ ବିଶ୍ୱବାସୀଙ୍କ ନଜର ରହିଛି। କରୋନା ମୁକାବିଲା ନେଇ ଏହି ଭାକ୍ସିନ ସମସ୍ତଙ୍କର ଆଶା ବଢାଇଛି।