ନୂଆଦିଲ୍ଲୀ, ୧୯/୦୨ : ବରିଷ୍ଠ କଂଗ୍ରେସ ନେତା କ୍ୟାପଟେନ୍ ସତୀଶ ଶର୍ମାଙ୍କ ଆଜି ଦିଲ୍ଲୀରେ ଅନ୍ତିମ ସଂସ୍କାର ହୋଇଛି। ସତୀଶ ଶର୍ମାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କାନ୍ଧ ଦେଇଛନ୍ତି। ବୁଧବାର ଦିନ ସତୀଶଙ୍କର ପରଲୋକ ହୋଇଥିଲା। ସେ କ୍ୟାନସରରେ ପୀଡିତ ଥିଲେ। ତେବେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବହୁ ବଡବଡ ନେତା ସତୀଶ ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
କ୍ୟାପ୍ଟେନ ସତୀଶ ଶର୍ମା କଂଗ୍ରେସ ପରିବାର ସହ ଖୁବ୍ ନିକଟତର। ସେ ନରସିଂହରାଓଙ୍କ ସରକାର ସମୟରେ ୧୯୯୩ରୁ ୧୯୯୬ ଯାଏଁ ପେଟ୍ରୋଲିଅମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିଲେ। ସେ ରାୟବରେଲି ଏବଂ ଅମେଠିରୁ ତିନି ଥର ସାଂସଦ ଥିଲେ। ସେ ୧୯୮୬ରେ ରାଜ୍ୟସଭା ପାଇଁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ନିଧନ ପରେ ସେ ଅମେଠିରୁ ଲୋକସଭା ପାଇଁ ପ୍ରତିନିଧିତ୍ଵ କରିଥିଲେ।
ସତୀଶ ଶର୍ମାଙ୍କ ନିଧନରେ ରାହୁଲ ଗାନ୍ଧୀ ଟ୍ଵିଟ କରି ଲେଖିଛନ୍ତି ଯେ, ଏହି ଖବର ଶୁଣି ମୁଁ ମର୍ମାହତ। ତାଙ୍କ ପରିବାର, ଏବଂ ବନ୍ଧୁମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଆମେ ତାଙ୍କୁ ସର୍ବଦା ମନେ ରଖିବୁ।