କାଲିମେଳା ଅଂଚଳରୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ: ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ

ମାଲକାନଗିରି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୮: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଂଚଳରୁ ମାଓବାଦୀଙ୍କ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଗତ ୨୨ ତାରିଖ ଦିନ ମାଲକାନଗିରି ଜିଲ୍ଲା ଡ଼ିଭିଏଫ ଫୋର୍ସ ଓ ୭୬ ବାଟାଲିୟନ ବିଏସଏଫର ଏକ ୟୁନିଟ୍ ଯବାନ ମିଳିତ ଭାବେ କାଲିମେଳା ଥାନା ଅଂଚଳର ମାଓପ୍ରବଣ ଇଲାକା କୁରୁବ, ସୁଧାକୋଣ୍ଡା ଓ ଏଲକାନୁର୍ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ଡ଼ମ୍ପିଙ୍ଗ କରି (ମାଟି ତଳେ ପୋତି) ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରିବାରେ ସଫଳ ହୋଇଛନ୍ତି ଯବାନ ମାନେ । ଜବତ ସାମଗ୍ରୀ ଗୁଡିକ ମଧ୍ୟରେ ୯୩ଟି ଡ଼ିଟୋନେଟର, ୧୨ ବୋର୍ ବନ୍ଧୁକର ୪୮ଟି ଖାଲି ଖୋକା, ୨ଟି ଜୀବନ୍ତ ଗୁଳି, ଗୋଟିଏ ଗ୍ୟାସ୍ ସିଲିଣ୍ଡର ଏବଂ ଦେଶୀ ବନ୍ଧୁକ ତିଆରି ନିମନ୍ତେ ବ୍ୟବହୃତ ଯନ୍ତ୍ରପାତି ଓ ସାମଗ୍ରୀ ରହିଥିବା ନେଇ ଅତିରିକ୍ତ ଏସପି (ଅପରେସନ) ସୂଚନା ଦେଇଛନ୍ତି ।