ଘର ଘର ବୁଲି ସର୍ଭେ କରାଯାଉଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି : ବିବ୍ରତ ନ ହେବାକୁ ପରାମର୍ଶ ଦେଲେ ଅତିରିକ୍ତ ମୁଖ୍ୟ ସଚିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୪/୦୭: ବତ୍ତର୍ମାନର କ୍ରମବର୍ଦ୍ଧିଷ୍ଣ ଆକ୍ରାନ୍ତ ସଂଖ୍ୟା ଦେଖି ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଆଜି ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୫,୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜ୍ୟରେ ଗୋଟିଏ ଦିନରେ ୧୨୬୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ। ଯେହେତୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ସର୍ଭେ କରୁଛନ୍ତି ଓ ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରୁଛନ୍ତି ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ସମସ୍ତ ଲକ୍ଷଣ ଥିବା ରୋଗୀଙ୍କୁ ଯଦି ଚିହ୍ନଟ କରିବାରେ ଆମେ ସକ୍ଷମ ହୋଇ ପାରିବା ତେବେ ଖୁବ୍ ଶୀଘ୍ର ରୋଗ ଉପରେ ନିୟନ୍ତ୍ରଣ ପାଇପାରିବା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସମଗ୍ର ରାଜ୍ୟରେ ଯେପରି ସମସ୍ତ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରିବ ସେଥିଲାଗି ରାଜ୍ୟ ସରକାର ଘରଘର ବୁଲି ସର୍ଭେ କରୁଛନ୍ତି। ଯେହେତୁ ଅଧିକ ସଂଖ୍ୟାରେ ଟେଷ୍ଟ ହେଉଛି ତେଣୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସ୍ୱାଭାବିକ ବୋଲି କହିଛନ୍ତି ସେ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ କହିଥିଲେ ଯେ, ଆଜି ରାଜ୍ୟରେ ୩,୦୦୦ରୁ ଆଣ୍ଟିଜେନ୍ ଟେଷ୍ଟ ହେବା ସହ ୧୧,୦୦୦ରୁ ଅଧିକ ସ୍ୱାବ ଟେଷ୍ଟ ହୋଇଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବା ସ୍ୱଭାବିକ। ବର୍ତ୍ତମାନ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଅବସ୍ଥା ଭଲ ଅଛି। ଆମ ରାଜ୍ୟରେ ମୃତ୍ୟୁ ହାର ବହୁତ କମ୍ ରହିଛି। ଏଥିସହ ସୁସ୍ଥତା ହାର ବି ୬୫ପ୍ରତିଶତ ରହିଛି। ତେଣୁ ରାଜ୍ୟବାସୀ ଚିନ୍ତା କରିବାର କୌଣସି କାରଣ ନାହିଁ। ଏଥିସହ କୋଭିଡ ଲକ୍ଷଣ ଥିବା ସମସ୍ତ ବ୍ୟକ୍ତି ନିଜ ଆଡୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଯୋଗାଯୋଗ କରି ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ଲକ୍ଷଣ ଥିଲେ ନଲୁଚାଇବାକୁ ମଧ୍ୟ ସେ ତାଗିଦ କରିଛନ୍ତି।
ଏଥିସହ ସେ କହିଥିଲେ, ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ପ୍ରତିଟି ରାଜ୍ୟବାସୀଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ତେଣୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେ ଦିଗରେ କାର୍ଯ୍ୟ କରୁଛନ୍ତି।ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ ପାଇଁ ବ୍ୟବସ୍ଥା କରାଯାଇଛି। ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ହୋଇଛି। କାହାରିଠାରେ ଲକ୍ଷଣ ଦେଖାଗଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ। ଏବେ ୧୯ ଜାଗାରେ କୋଭିଡ୍ ଟେଷ୍ଟିଂ କରାଯାଉଛି। ଆଗାମୀ ଦିନରେ ଆଉ ୬ ଜାଗାରେ କୋଭିଡ୍ ଟେଷ୍ଟିଂ କରାଯିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଜି ଦିନରେ ୧୧ହଜାର ଟେଷ୍ଟ ହେଉଛି, ଆଗକୁ ଏହାର ସଂଖ୍ୟା ମଧ୍ୟ ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ୍ରେ ବେଡ୍ ସଂଖ୍ୟା ବଢ଼ାଯାଇଛି। ଅଗଷ୍ଟ ୩୧ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ହସ୍ପିଟାଲ୍ଗୁଡ଼ିକରେ ବେଡ୍ ସଂଖ୍ୟା ବଢ଼ାଇ ଦିଆଯାଇଛି। ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ ଘରେ ରହି ଚିକିତ୍ସିତ ହେବା ଆବଶ୍ୟକ। ଲକ୍ଷଣହୀନ ବ୍ୟକ୍ତି ଘରେ ରହି ଚିକିତ୍ସା ହୋଇପାରିଲେ ମେଡ଼ିକାଲ୍ରୁ ବୋଝ କମିଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।