ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଖୁସିର ଲହରି : ଏସ୍‍ଓପି ଅନୁସରଣ ସହ ସୁଟିଂ ପାଇଁ ସରକାରଙ୍କ ସବୁଜ ସଂକେତ

0 461
greentech

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଚଳଚ୍ଚିତ୍ର ସୁଟିଂ ନେଇ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଓଲିଉଡରେ ଖୁସିର ଲହରି ଖେଳିଯାଇଛି। ସୁଟିଂ ସମୟରେ କରୋନା କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହାର ଗୁରୁଦାୟିତ୍ୱ ରହିଛି ପ୍ରଡକ୍ସନ ସଂସ୍ଥା ଉପରେ। ଚଳିତ ମାସ ୭ ତାରିଖରୁ କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍‍ଓପି ଜାରି ହୋଇଥିବାବେଳେ ଏନେଇ ଚଳଚ୍ଚିତ୍ର କଳାକାର ସଂଘ ସରକାରଙ୍କ ନିକଟରେ ଦାବି କରିବା ସହିତ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ, ୩୦ ପ୍ରତିଶତ କ୍ରିଉଙ୍କୁ ନେଇ ସୁଟିଂ କରାଯିବ। ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଏହି ଏସ୍‍ଓପି ଅନୁକରଣ କରିବାକୁ କୁହାଯାଇଛି। ୪ମାସର ଲକ୍‍ଡାଉନ୍‍ ପାଇଁ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବହୁ କଳାକାର ଏବଂ ଟେକ୍ନିସିଆନ୍‍ ଜୀବିକା ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଟିଂ ଲାଗି ପ୍ରଯୋଜନା ସଂସ୍ଥାଗୁଡ଼ିକ ପାଇଁ ଏସ୍‍ଓପି ଜାରି କରାଯାଇଛି। ସେଟ୍‍ରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସୀମିତ କଳାକାର ଏବଂ ଟେକ୍ନିସିଆନଙ୍କୁ ନେଇ ସୁଟିଂ କରିବାକୁ କୁହାଯାଇଛି।

ସେହିଭଳି ପୋଷ୍ଟ ପ୍ରଡକ୍ସନ, ମେକ୍‍ଅପ୍‍ ସମୟରେ ସୁରକ୍ଷା ଲାଗି ସାମାଜିକ ଦୂରତା ରକ୍ଷା ଏବଂ ନିୟମିତ ବ୍ୟବଧାନରେ ସେଟ୍‍ର ସାନିଟାଇଜେସନ କରିବାକୁ କୁହାଯାଇଛି। ସୁଟିଂ ସେଟ୍‌ ଅବା ସ୍ଥାନକୁ ପ୍ରବେଶ ପୂର୍ବରୁ କାଶ ଏବଂ ତାପମାତ୍ରା ତଦାରଖ କରାଯିବ। ସେଟ୍‌ରେ ଏକ ନାମଫଳକ ସହିତ ସେଥିରେ ଏକ ଜରୁରୀକାଳୀନ ନମ୍ବର ମଧ୍ୟ ରହିବ। ଏହାସହିତ ପ୍ରତି କଳାକାର ଏବଂ ସଦସ୍ୟଙ୍କ ସମ୍ପୂର୍ଣ୍ଣ ବାୟୋଡାଟା ଗ୍ରହଣ କରାଯିବ। ଗର୍ଭବତୀ ଏବଂ ୬୫ ବର୍ଷରୁ ଅଧିକ ବର୍ଷ ସଦସ୍ୟଙ୍କୁ ସେଟ୍‍ ବାରଣ ହୋଇଛି। ଅନ୍ୟପକ୍ଷରେ ଫ୍ଲୋରରେ ୩ ୱାସ୍‌ରୁମ୍‍ ସହିତ ପ୍ରତି ଘଣ୍ଟାରେ ସୁଟିଂ ସ୍ଥାନ ସାନିଟାଇଜ କରିବାକୁ କୁହାଯାଇଛି।

ସେଟ୍‌କୁ କୌଣସି ଅତିଥି ଆସିପାରିବେ ନାହିଁ। କଳାକାର ବା ସଦସ୍ୟଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ସେମାନେ ନିଜ ନିଜ ଖାଦ୍ୟ ଘରୁ ଆଣିବାକୁ ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି। ବ୍ୟବହୃତ ସମସ୍ତ ଉପକରଣ ନିୟମିତ ବ୍ୟବଧାନରେ ସାନିଟାଇଜ୍‍ କରାଯିବ। ସେହିପରି ଜୁମ୍‍ ଏବଂ ସ୍କାଇପି ମାଧ୍ୟମରେ କାଷ୍ଟିଂ କରିବାକୁ କୁହାଯାଇଛି। ସୁଟିଂ ସେଟ୍‌ରେ ଯଦି କୌଣସି କରୋନା ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କ ପରୀକ୍ଷା ମଧ୍ୟ କରାଇବେ। ଯଦି କୌଣସି ସଦସ୍ୟଙ୍କ କରୋନା ପଜିଟିଭ ଆସିଲା ତେବେ ତାଙ୍କୁ ନିରାପଦଭାବେ ହସ୍ପିଟାଲକୁ ପଠାଇବା ସହିତ ତୁରନ୍ତ ପଦକ୍ଷେପ ନେବେ। ସମସ୍ତ ସୁଟିଂ ସାମଗ୍ରୀର ସାନିଟାଇଜ ସହିତ ତିନିଦିନ ପର୍ଯ୍ୟନ୍ତ ସୁଟିଂ ବନ୍ଦ ସହିତ ସମସ୍ତଙ୍କ ପରୀକ୍ଷା କରାଯିବ।

ଏହାସହିତ ମାସ୍କ, ଗ୍ଲୋଭ୍‌ସ୍‍ ଏବଂ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ। ସେହିପରି ବଡ଼ ଟେଣ୍ଟ ହାଉସକୁ ବାରଣ କରାଯିବା ସହିତ ଷ୍ଟୁଡିଓ ତଥା ସେଟ୍‌ରେ ଗହଳିକୁ ବାରଣ କରାଯାଇଛି। ନିର୍ଦେଶକ ସଞ୍ଜୟ ନାୟକ କହିଛନ୍ତି, ଏସ୍‌ଓପି ମୁତାବକ ସୁଟିଂ କରିବା କଷ୍ଟକର ହୋଇପଡ଼ିବ। ଏହାର ତର୍ଜମା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଅଭିନେତା-ନିର୍ଦେଶକ ଶ୍ରୀତମ ଦାସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସୁଟିଂ କରିବା କଷ୍ଟକର ହୋଇପଡ଼ିଛି। ତଥାପି ଏସ୍‌ଓପିକୁ ନେଇ କାମ କରିବାକୁ ହେବ। ‘ପ୍ରେମଲୀଳା’ର ସୁଟିଂ: ଏସ୍‌ଓପି ଜାରି ପରେ ଆଜିଠୁ ଆରମ୍ଭ ହୋଇଛି ଓଡ଼ିଆ ଚିତ୍ର ‘ପ୍ରେମଲୀଳା’ର ବାକି ସୁଟିଂ। ଯେଉଁଥିରେ ଶ୍ରୀତମ୍‍, ଜର୍ଜ ତିଆଡ଼ି, ଜିନା, ସାତ୍ୟକୀ ମିଶ୍ର ପ୍ରମୁଖ ଅଭିନୟ କରୁଛନ୍ତି।

Leave A Reply

Your email address will not be published.

18 − 16 =

error: Content is protected !!
Open chat