ଛତିଶଗଡ଼ ସୀମାରେ ପଙ୍ଗପାଳ ଦଳ, ଓଡ଼ିଶା ଉପରୁ ପୂରା ଟଳିନି ବିପଦ

0 199
greentech

ଭୁବନେଶ୍ୱର: ଚାଷୀଙ୍କ ଫସଲକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ପଙ୍ଗପାଳ ଦଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାରେ ଅଛନ୍ତି। ଓଡ଼ିଶା ସୀମା ଠାରୁ ପ୍ରାୟ ୫ ଶହ କିଲୋମିଟର ଦୂରରେ ପଙ୍ଗପାଳ ଦଳ ଥିଲେ ବି ଏମାନେ ଗୋଟିଏ ରାତି ମଧ୍ୟରେ ରାଜ୍ୟରେ ପହଞ୍ଚିବା କିଛି ବଡ଼ କଥା ନୁହେଁ। କୁହାଯାଉଛି ଯେ, ପଙ୍ଗପାଳମାନେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରୁଛନ୍ତି।

ଗତକାଲି ପଙ୍ଗପାଳ ଦଳ ଛତିଶଗଡ଼ ରାଜ୍ୟର କବୀରଧାମ (କଓ୍ଵର୍ଦ୍ଧା) ଜିଲ୍ଲାର ପଣ୍ଡରିଆ ସବ୍‌ଡିଭିଜନ ଅଂଚଳରେ ଦେଖାଯାଇଥିଲେ। ସ୍ଥାନୀୟ ଚାଷୀମାନେ ହଠାତ୍‌ ପଙ୍ଗପାଳ ଦଳ ଦେଖି ଡରି ଯାଇଥିଲେ। ଫସଲ ନଷ୍ଟ ହେବା ଆଶଙ୍କା କରି ଚାଷୀମାନେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ। ଗାଁ ଲୋକେ ଥାଳି ଓ ଡ୍ରମ ବଜାଇ ପଙ୍ଗପାଳ ଦଳକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ପରେ କୃଷି ବିଭାଗ ପକ୍ଷରୁ କୀଟନାଶକ ସିଞ୍ଚନ କରାଯାଇଥିଲା। ସେହିଭଳି କିଛି ଦିନ ତଳେ ପଙ୍ଗପାଳ ଦଳ ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାରେ ମଧ୍ୟ ଦେଖାଯାଇଥିଲେ।

ଓଡ଼ିଶାକୁ ପଙ୍ଗପାଳ ଦଳ ସ୍ୱତନ୍ତ୍ର କୃଷି ସଚିବ ଏସ୍‌. କେ ବଶିଷ୍ଟ କହିଛନ୍ତି, ଆମକୁ ସତର୍କ ରହିବାକୁ ହେବ। ପ୍ରତି ସନ୍ଧ୍ୟା ୫ଟାରେ ସେମାନଙ୍କ ଗତିବିଧିର ରିପୋର୍ଟ ଆସୁଛି। ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ପେଷ୍ଟ ମ୍ୟାନେଜମେଣ୍ଟ ରିପୋର୍ଟ ଦେଉଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ମୁକାବିଲା ଚାଲିଛି। ଗବେଷଣା ଚାଲିଛି କି ଏହା ନୂଆ ଦଳ ନା ସେହି ପୁରୁଣା। କାରଣ ପୁରୁଣା ଦଳ ମଧ୍ୟ ପ୍ରଦେଶରେ ଦୁର୍ବଳ ହୋଇଯାଇଥିଲା। ଯେଉଁ ସବୁ ଜିଲ୍ଲାକୁ ପୂର୍ବରୁ ଆଲର୍ଟ କରାଯାଇଥିଲା, ସେଗୁଡିକୁ ପୁଣି ଆଲର୍ଟ କରାଯିବ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ (ଓୟୁଏଟି) ଏକ୍ସଟେନସନ ଡିନ୍‌ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ଆମକୁ ସୂଚନା ଆସିଛି ଯେ ପଙ୍ଗପାଳ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତରେ ଅଛନ୍ତି। ଏମାନେ ନୂଆ ଦଳ। ଏହି ଦଳ କୋରିଆରେ ଥିଲେ ଯେଉଁମାନେ ଜଙ୍ଗଲକୁ ଚାଲିଯାଇଛନ୍ତି। ଅନ୍ୟ ଦଳ ଖାରାରେ ଥିଲେ ଯେଉଁମାନଙ୍କୁ ଦମନ କରାଯାଇଛି। ହେଲେ ଓଡ଼ିଶା ପ୍ରତି ବିପଦ ଟଳିଛି ବୋଲି କହିହେବନି। କାରଣ ଗତ ଦୁଇ ମାସରୁ ସେମାନେ ଛତିଶଗଡ଼ରେ ଅଛନ୍ତି।ଯେପର୍ଯ୍ୟନ୍ତ କେନ୍ଦ୍ରରୁ କିଛି ସୂଚନା ଆସିନି, ଓଡ଼ିଶା ପ୍ରତି ବିପଦ ଟଳିଥିବା କଥା କେମିତି କହିବା?

Leave A Reply

Your email address will not be published.

3 × two =

error: Content is protected !!
Open chat