ଜୁଲାଇ ୩୧ ପର୍ଯ୍ୟନ୍ତ ବିପିୟୁଟିର ସମସ୍ତ ପରୀକ୍ଷା ସ୍ଥଗିତ

0 268
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ସମସ୍ତ ପରୀକ୍ଷା ସ୍ଥଗିତ। ଜୁଲାଇ ୩୧ ମଧ୍ୟରେ ହେବାକୁ ଥିବା ଏମ୍‌ବିଏ, ବି.ଟେକ୍‌, ବି.ଫାର୍ମା, ଏମ୍‌.ଏସ୍‌ସି(ଆଇଏନ୍‌ଟି) ଓ ଏମ୍‌ବିଏ(ପିଟି)ର ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ଏବେ ସ୍ଥଗିତ ରଖାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଖୋର୍ଧା ସମେତ ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ସୁନ୍ଦରଗଡ଼ ଜିଲ୍ଲା) ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିପିୟୁଟି ପରୀକ୍ଷା ନିର୍ଦେଶକ ଦୀପକ କୁମାର ସାହୁ କହିଛନ୍ତି।

ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ବିପିୟୁଟି ଅନ୍‌ଲାଇନ୍‌ ପରୀକ୍ଷା କରି ଅନ୍ୟମାନଙ୍କ ଲାଗି ଆଦର୍ଶ ସାଜିବ ବୋଲି ଯେଉଁ ଯୋଜନା ହୋଇଥିଲା, ତାହାକୁ ଶକ୍ତ ଧକ୍କା ଲାଗିଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିର୍ଦେଶକ୍ରମେ ମାସେ ହେଲା ଏଥିପାଇଁ ପ୍ରକ୍ରିୟା ଚାଲିଥିଲା। ରାଜ୍ୟ ବାହାରର ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଯେଉଁ ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ ନାହିଁ, ସେମାନଙ୍କ ଲାଗି ବିକଳ୍ପ ବ୍ୟବସ୍ଥା ଭାବେ ୧୩୭ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଛାତ୍ରଛାତ୍ରୀ ସେଠାକୁ ଯାଇ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା। ଏହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନଙ୍କ ସମେତ ବିରୋଧୀ ରାଜନୈତିକ ଦଳ ବି ସ୍ବର ଉଠାଇଥିଲେ। ଏମିତିକି କରୋନା ମହାମାରୀ ସମୟରେ କୋଟି କୋଟି ଟଙ୍କା ହଡ଼ପ ଲାଗି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳିବାକୁ ବିଭିନ୍ନ ସଙ୍ଗଠନ ଅନୁରୋଧ କରିଥିଲେ। ତା’ପରେ ବି ବୈଷୟିକ ଶିକ୍ଷା ବିଭାଗ କି ବିପିୟୁଟି କର୍ତୃପକ୍ଷ କେହି ଶୁଣି ନଥିଲେ। ପରୀକ୍ଷା ନିଶ୍ଚିତ ହେବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ।

ଲକ୍‌ଡାଉନ୍‌ ଯୋଗୁଁ ପରୀକ୍ଷା ବାତିଲ୍‌ କରାଗଲା ବୋଲି ବିପିୟୁଟି କର୍ତୃପକ୍ଷ କହିଛନ୍ତି। ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀମାନେ ବିପିୟୁଟି କର୍ତୃପକ୍ଷଙ୍କୁ ବୁଦ୍ଧି ଶିଖାଇଛନ୍ତି। ଅନ୍‌ଲାଇନ୍‌ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ କରିବାକୁ କୁହାଯାଇଥିଲା। ଏଥିପାଇଁ ନିର୍ଦ୍ଧାରିତ ସମୟ ବି ଦିଆଯାଇଥିଲା। ଏହି ସମୟ ମଧ୍ୟରେ ନାମ ପଞ୍ଜୀକରଣ କରି ଛାତ୍ରଛାତ୍ରୀ କେଉଁଠି ଓ କିଭଳି ପରୀକ୍ଷା ଦେବାକୁ ଇଚ୍ଛୁକ ଅଛନ୍ତି, ସେନେଇ ସ୍ପଷ୍ଟ କରିବାକୁ ବିଜ୍ଞପ୍ତିରେ କୁହାଯାଇଥିଲା। ତେବେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରି ନ ଥିଲେ। ବି.ଟେକ୍‌ ଶେଷ ସେମିଷ୍ଟର୍‌ରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୩, ୫୦୦ ଅନ୍‌ଲାଇନ୍ ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ଏମ୍‌ବିଏ ପାଇଁ ଅନୁରୂପ ଭାବେ ୩ ହଜ‌ାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ମାତ୍ର ୭୦୦ ଜଣ ପଞ୍ଜୀକରଣ କରିଛନ୍ତି। ବି. ଆର୍କିଟେକ୍‌, ବି.ପ୍ଲାନ୍‌ ଶେଷ ସେମିଷ୍ଟର୍‌ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ମାତ୍ର ୧୫ ପ୍ରତିଶତ ପିଲା ପରୀକ୍ଷା ଦେଇଛନ୍ତି। ଆହୁରି ୮୫ପ୍ରତିଶତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପରୀକ୍ଷା ଦେଇ ନଥିବା ସୂଚନା ମିଳିଛି। ପରୀକ୍ଷା ବାତିଲ୍‌ ହୋଇଥିବାରୁ ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଇଚ୍ଛୁକ ଅଛନ୍ତି, ସେମାନେ ଆସନ୍ତା ୩୧ତାରିଖ ଯାଏ ନାମ ପଞ୍ଜୀକରଣ କରିପାରିବେ ବୋଲି ବିପିୟୁଟି ପକ୍ଷରୁ କୁହାଯାଇଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କୋଭିଡ୍‌-୧୯ ଲାଗି ଜୁଲାଇ ମାସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥିଲେ। ସତର୍କତ‌ା ଅବଲମ୍ବନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ତା’ପରେ ବି ବିପିୟୁଟି କର୍ତୃପକ୍ଷ କେଉଁଭଳି ଭାବେ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଯେଉଁଭଳି ଭାବେ କଟକଣା ତଥା ନିୟମ ରଖାଗଲା ତାହା ଦ୍ବାରା ଛାତ୍ରଛାତ୍ରୀ ଆଗ୍ରହ ଦେଖାଇ ନ ଥିଲେ। ବରଂ ପରେ ପରୀକ୍ଷା ଦେବା ଲାଗି ଅପେକ୍ଷା କରି ରହିଛନ୍ତି ବୋଲି କେତେକ ଶିକ୍ଷାନୁଷ୍ଠାନ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.

10 − eight =

error: Content is protected !!
Open chat