ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ ପାଇଁ ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ

0 486
greentech


ପରୀକ୍ଷା ଦେଉଥିବା ସବୁ ପିଲା ଆମ ପରିବାରର, ସେମାନଙ୍କ ସାଥୀରେ ରୁହ: ଦଳୀୟ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ବିଜୁ ଜନତା ଦଳ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭରଚ୍ୟୁଆଲ ପରାମର୍ଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୮: ବିଜୁଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ରବିବାର ଦଳର ସମସ୍ତ ବିଧାୟକଙ୍କ ସହ ଭର୍ଚ୍ୟୁଆଲ ବୈଠକରେ ଆଲୋଚନା କରିଛନ୍ତି । କରୋନା ସଂକ୍ରାନ୍ତ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଦଳୀୟ ସହଯୋଗୀଙ୍କୁ ଏନଇଇଟି ଓ ଜେଇଇ ମୁଖ୍ୟ ପରୀକ୍ଷା ଦେଉଥିବା ପିଲାମାନଙ୍କୁ ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପରୀକ୍ଷା ଦେଉଥିବା ସବୁ ପିଲା ଆମ ପରିବାରର । ସେମାନଙ୍କୁ ଯଥାସମ୍ଭବ ସହାୟତା କରନ୍ତୁ ଓ ସେମାନଙ୍କ ସାଥୀରେ ରୁହନ୍ତୁ । ମୁଁ ସବୁବେଳେ କହି ଆସିଛି ଯେ, ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଆମ ଦାୟିତ୍ବ । ‘ଓଡିଶା – ମୋ ପରିବାର’କାର୍ଯ୍ୟକ୍ରମରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପ୍ଟେମ୍ବର ୧ ରୁ ୬ ତାରିଖ ଜେଇଇ ଏବଂ ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପରୀକ୍ଷା ହେବ। ପରୀକ୍ଷାକୁ ଆଉ କମ୍‌ ସମୟ ଥିବାରୁ ନିଟ୍‌ ଓ ଜେଇ ମେନ୍‌ ପରୀକ୍ଷାର୍ଥୀଙ୍କୁ ସହଯୋଗ ପାଇଁ ଦଳୀୟ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ସବୁ ପିଲା ଆମ ପରିବାରର, ଅସୁବିଧା ସମୟରେ ପିଲାଙ୍କ ପାଖରେ ରହନ୍ତୁ। ନିଜ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ। ପିଲାଙ୍କ ପାଖରେ ୪୮ ଘଣ୍ଟାରୁ କମ୍‌ ସମୟ ଅଛି। ତେଣୁ ସେମାନୁଙ୍କ ସହଯୋଗ କରନ୍ତୁ’’, ବିଧାୟକମାନଙ୍କୁ କହିଛନ୍ତି ନବୀନ।

ବନ୍ୟା ଓ କୋଭିଡ ସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ ନବୀନ। କିନ୍ତୁ ତାଙ୍କର ଦାବି ପୂରଣ ହେଲାନି। ଦାବି ପୂରଣ ନହେବାରୁ ରାଜ୍ୟ ସରକାର ପିଲାଙ୍କ ସୁବିଧା ଲାଗି ସବୁ ବ୍ୟବସ୍ଥା କରିଛନ୍ତି। ପରୀକ୍ଷା କେନ୍ଦ୍ର ଥିବା ସହରଗୁଡ଼ିକରେ ଲକଡାଉନ୍‌ ସଟଡାଉନ କଟକଣା କୋହଳ କରିବା ସହିତ ପିଲାଙ୍କ ପରିବହନ ରହିବା ବ୍ୟବସ୍ଥା ମାଗଣା କରାଯାଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ ରାଜ୍ୟ କୋଭିଡ ଓ ବନ୍ୟା ସମସ୍ୟା ଦେଇ ଗତି କରୁଥିବାରୁ ବିଧାୟକମାନେ କୋଭିଡ ଯୋଦ୍ଧା ଓ ଲୋକଙ୍କ ସାଥୀର ରହନ୍ତୁ ବୋଲି ନବୀନ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍‌ ଅଛି।  ଏହି ସଂକଟ ସମୟରେ ଆପଣମାନେ ଲୋକଙ୍କ ସାଥିରେ ରୁହନ୍ତୁ । ଆମର କୋଭିଡ ଯୋଦ୍ଧା ମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ 

ଗଞ୍ଜାମରେ ଆଜିଠାରୁ ୫ଟି କୋଭିଡ଼ ଗୃହ ବନ୍ଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି । ଗଞ୍ଜାମର ପରିସ୍ଥିତିରେ ଦୃତ ଉନ୍ନତି ଆସୁଥିବା ଉଲ୍ଲେଖ କରି ସେ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ କୋଭିଡ଼ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଆମର ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀ ମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ, ସେଥିରେ ଆପଣ ସହଯୋଗ କରନ୍ତୁ ।

ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଏ ଅସୁବିଧା ସମୟରେ ଆପଣ ଲୋକଙ୍କ ସାଥିରେ ରୁହନ୍ତୁ । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି  ବର୍ତ୍ତମାନ କେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ବାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣା ଯାଇ ପାରିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀର ମା ମାନେ ରୋଜଗାର ପାଇବେ ଏବଂ ଲୋକମାନେ ମଧ୍ୟ ନିରାପଦ ରହିବେ।

କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏନଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି;  କିନ୍ତୁ ହେଲା ନାହିଁ।  ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶାର ଭବିଷ୍ୟତ ।ସେମାନେ ଆମ ପରିବାର ର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ଆପଣ ପୁରା ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

three × 1 =

error: Content is protected !!
Open chat