ଜେଇଇ ମେନ୍ ଆସନ୍ତା ‌ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଓ ନିଟ୍‌ ‘ନିଟ୍‌’ ସେ‌ପ୍ଟେମ୍ବର ୧୩ରେ ହେବ -କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

0 326
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭ : କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗୁଣାତ୍ମକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଆଜି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ଜେଇଇ ମେନ୍‌, ଜେଇଇ ଆଡଭାନ୍ସ ଓ ନିଟ୍‌ ପ୍ରବେଶିକା ପରୀକ୍ଷା ଲାଗି ନୂତନ ତାରିଖ ବି ଘୋଷଣା କରିଛନ୍ତି। ଦେଶରେ ଥିବା ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ପାଇଁ ଜୁଲାଇ ୧୮ରୁ ୨୩ ମଧ୍ୟ‌ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷା ଆସନ୍ତା ‌ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଅନୁଷ୍ଠିତ ହେବ। ଆଇଆଇଟିଗୁଡ଼ିକରେ ନାମଲେଖା ଲାଗି ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସଡ୍‌ କରାଯିବ। ସେହିପରି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ୨୬‌ରେ ହେବାକୁ ଥିବା ‘ନିଟ୍‌’ ସେ‌ପ୍ଟେମ୍ବର ୧୩ରେ ହେବ।

ମିଳିଥିବା ସୂଚନା ଅନୁଯାୟୀ, ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଲାଗି ସାରା ଦେଶରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରେ ଓଡ଼ିଶାର ୩୮ହଜାର ପରୀକ୍ଷାର୍ଥୀ ରହିଛନ୍ତି। ସେପ୍ଟେମ୍ବର ୬ରେ ପରୀକ୍ଷା ଶେଷ ହେବା କ୍ଷଣି ମୂଲ୍ୟାୟନ ଆରମ୍ଭ ହେବ ଏବଂ ୫ ଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଶ୍ରେଷ୍ଠ ଅଢ଼େଇ ଲକ୍ଷ ରୢାଙ୍କ ମଧ୍ୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପାଇଁ ନାମ ପଞ୍ଜୀକରଣ କରିପାରିବେ। ‌ନିଟ୍‌ ଲାଗି ପ୍ରାୟ ୧୬ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାର ୪୫ହଜାର ଛାତ୍ରଛାତ୍ରୀ ଅଛନ୍ତି। ପରୀକ୍ଷା ସରିବାର ୨୦ ଦିନ ଭିତରେ ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଯେ ଦ୍ବିତୀୟଥର ଲାଗି ଉକ୍ତ ଦୁଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଜେଇଇ ମେନ୍‌-୨ ଏପ୍ରିଲ ୭ରୁ ୧୧ ଓ ନିଟ୍‌ ମେ’ ୩ରେ ଅନୁଷ୍ଠିତ ହେବାର ଥିଲା। ‌ତେବେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଉକ୍ତ ଦୁଇ ପରୀକ୍ଷା ଜୁଲାଇରେ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମହାରାଷ୍ଟ୍ର, ଦିଲ୍ଲୀ, ଓଡ଼ିଶା, ତାମିଲନାଡ଼ୁ ପ୍ରଭୃତି ‌ରାଜ୍ୟରେ କୋଭିଡ୍‌-୧୯ ମାମଲା ବଢ଼ୁଥିବାରୁ ପିଲାମାନେ କିଭଳି ପରୀକ୍ଷା ଦେବେ, ତାହାକୁ ନେଇ ଆଶଙ୍କା ଦେଖାଦେଇଥିଲା। ଦେଶରେ ଟ୍ରେନ୍‌ ସେବା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇ ନ ଥିବା ବେଳେ ଅଧିକାଂଶ ଜିଲ୍ଲାରେ ବସ୍‌, ଟ୍ୟାକ୍ସି ଚଳାଚଳ କରୁନି। ତେଣୁ ପରୀକ୍ଷାକୁ ଘୁଞ୍ଚାଇବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଥିଲେ। ‌ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୪ଜଣିଆ ଏକ କମିଟି ଗଠନ କରାଯାଇ ସ୍ଥିତିର ସମୀକ୍ଷା କରାଯାଇଥିଲା।

Leave A Reply

Your email address will not be published.

five × five =

error: Content is protected !!
Open chat