
ନୂଆଦିଲ୍ଲୀ, ୨୮/୪ : ମହାମାରୀ କରୋନା ସଙ୍କଟ ସମୟରେ ମାସ୍କ ଏବଂ ସାନିଟାଇଜର ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେବେ ଏହି ମଧ୍ୟରେ ଏକ ଖବର ଆସିଛି ଯେ, ଆମେରିକାରେ ଯେଉଁମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କୁ ଆଉ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ଟିକା ନେଇଥିବା ଲୋକେ ବିନା ମାସ୍କରେ ବାହାରକୁ ବାହାରି ପାରିବେ, ହେଲେ ଭିଡ ସ୍ଥାନରୁ ନିବୃତ୍ତ ରହିବେ। ଭିଡ ନଥିବା ସ୍ଥାନରେ ଏଣିକି ମାସ୍କ ନଲଗାଇବା ପାଇଁ ଆମେରିକା ଅନୁମତି ଦେଇଛି।
ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ଲୋକମାନେ ଭ୍ୟାକ୍ସିନ ଲଗାଇ ନାହାଁନ୍ତି, ଖାସ୍ କରି ଯବାନ ଅଛନ୍ତି ଏବଂ ଭାବୁଛନ୍ତି ଯେ, ଭ୍ୟାକ୍ସିନର ଆବଶ୍ୟକତା ନାହିଁ ସେମାନଙ୍କୁ ଟିକା ନେଇବା ପାଇଁ ଏକ ଭଲ ଉପାୟ ମିଳିଗଲା। ମାସ୍କ ନପିନ୍ଧିବା ପାଇଁ ଟିକା ଲଗାନ୍ତୁ।
ଆମେରିକାର ସର୍ବୋଚ୍ଚ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥା ସମ୍ପୂର୍ଣ୍ଣ ଟିକାକରଣ କରିଥିବା ଆମେରିକୀୟମାନଙ୍କୁ ସୂଚନା ଦେଇଛନ୍ତି ଯେ, ସେମାନେ ଅଧିକାଂଶ ସମୟରେ ମାସ୍କ ବିନା ବ୍ୟବହାର କରି ରହିପାରିବେ। ତେବେ ଯେଉଁମାନେ କୌଣସି କନସର୍ଟକୁ ଯିବାକୁ କିମ୍ବା ଖେଳ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମାସ୍କ ଜରୁରୀ ବୋଲି ଏଜେନ୍ସି କହିଛି। ଏତଦ୍ ବ୍ୟତୀତ ସିନେମା ହଲ୍ କିମ୍ବା ବଜାର ଯିବା ସମୟରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ।