ନିଯୁକ୍ତି ହରାଇଛନ୍ତି ଏକ କୋଟି ଭାରତୀୟ

0 232
greentech

ନୂଆଦିଲ୍ଲୀ: କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରି ହରାଇଛନ୍ତି। ଏହା ବ୍ୟତୀତ କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବ୍ୟାସ ମଙ୍ଗଳବାର ସୂଚନା ଦେଇଛନ୍ତି। ଏହା ବ୍ୟତୀତ ସହରର ବେରୋଜଗାର ହାର ୧୭.୮୮ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ୯.୫୮ ରହିଛି। ସମଗ୍ର ଦେଶରେ ବେରୋଜଗାର ହାର ୧୨.୧୫ ପ୍ରତିଶତ ଥିବା ଶ୍ରୀ ବ୍ୟାସ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସରେ ଦେଶରେ ବେରୋଜଗାର ହାର ୮ ପ୍ରତିଶତ ଥିବାବେଳେ ମେ’ ଶେଷ ସୁଦ୍ଧା ଏହା ୧୨.୧୫ ପ୍ରତିଶତରୁ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଇଛି। କରୋନାର ଦ୍ବିତୀୟ ଲହରକୁ ନିଯୁକ୍ତି ହରାଇବାର ମୁଖ୍ୟ କାରଣ ଭାବେ ଗ୍ରହଣ କରାଯାଇଛି। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଦେଶର ଅର୍ଥନୀତି କିଛି ମାତ୍ରାରେ ସୁଧୁରିଛି। ତେବେ ଏହା ସନ୍ତୋଷଜନକ ନୁହେଁ। ଆଗକୁ ଅର୍ଥନୀତିରେ ସୁଧାର ଆସିଲେ ବେରୋଜଗାରଙ୍କ ସଂଖ୍ୟା ହ୍ରାସ ପାଇପାରେ ବୋଲି ବ୍ୟାସ କହିଛନ୍ତି। ଯେଉଁମାନେ ଚାକିରି ହରାଉଛନ୍ତି ସେମାନଙ୍କୁ ସହଜେ ନିଯୁକ୍ତି ମିଳୁ ନାହିଁ।

ସେ କହିଛନ୍ତି, ସଂଗଠିତ କ୍ଷେତ୍ର ଅପେକ୍ଷା ଅସଂଗଠିତ କ୍ଷେତ୍ରରେ କାମ କରୁୁଥିବା କର୍ମଚାରୀଙ୍କ ନିଯୁକ୍ତି ଗଲେ ପୁନଃ ଫେରି ପାଇବା ପ୍ରାୟତଃ ସମ୍ଭବ ହୋଇଥାଏ। ସଂଗଠିତ କ୍ଷେତ୍ରରେ ବୁଦ୍ଧି ଓ କାର୍ଯ୍ୟ ଦକ୍ଷତାକୁ ପ୍ରାଧାନ୍ୟ ଦିଆ ଯାଇଥାଏ। ତେଣୁ ଏହି କ୍ଷେତ୍ରର ଜଣେ କର୍ମଚାରୀଙ୍କ ନିଯୁକ୍ତି ଗଲେ ପୁନଃ ତାହା ଫେରି ପାଇବା କଷ୍ଟକର। କାରଣ ତାଙ୍କର ଏକାଧିକ ପ୍ରତିଦ୍ବନ୍ଦ୍ବୀ ସୃଷ୍ଟି ହୋଇ ଥା’ନ୍ତି।

ସମଗ୍ର ଦେଶରେ ତାଲା ବନ୍ଦ ଯୋଗୁଁ ଗତ ବର୍ଷ ବେରୋଜଗାର ଦର ରେକର୍ଡ ସ୍ତର ୨୩.୫ ପ୍ରତିଶତରେ ପହଞ୍ଚି ଥିଲା। ପ୍ରଥମ ଲହରର ଜୀବନ ସଜଡ଼ା ନହେଉଣୁ ଦ୍ବିତୀୟ ଲହର ପ୍ରବେଶ କରିଥିଲା। ଦେଶବାସୀ ଏଥିପାଇଁ ଅପ୍ରସ୍ତୁତ ଥିଲେ। ଫଳରେ ସବୁରି କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁୁ ମିଳିଛି। ଭାରତରେ ବେରୋଜଗାର ହାର ୩ ରୁ ୪ ପ୍ରତିଶତ ରହିଲେ ତାହାକୁ ସାମାନ୍ୟ ବୋଲି ମନେ କରାଯାଏ। ଏବେ ଏହା ଶୀର୍ଷ ସ୍ତରରେ ପହଞ୍ଚିଛି। କେବେ ଦେଶର ଅର୍ଥନୀତି ସୁଧୁରିବ ଓ ବେରୋଜଗାର ବ୍ୟକ୍ତି ପୁନଃ ନିଯୁକ୍ତି ପାଇବେ ସେ ସଂକ୍ରାନ୍ତରେ ଏବେଠୁ ଆକଳନ କରିବା ବୃଥା ବୋଲି ବ୍ୟାସ କହିଛନ୍ତି।

ସହରାଞ୍ଚଳର ବେରୋଜଗାର ହାର ୧୭.୮୮ ଓ ଗ୍ରାମାଞ୍ଚଳରେ ୯.୫୮ ପ୍ରତିଶତ ଥିବା ସେ ସୂଚନା ଦେଇଛନ୍ତି। ଗତମାସ ଶେଷ ସପ୍ତାହ ସୁଦ୍ଧା ସହରାଞ୍ଚଳର ବେରୋଜଗାର ହାର ୧୮ ପ୍ରତିଶତ ଛୁଇଁ ଥିଲା। ସେହିପରି ଗ୍ରାମାଞ୍ଚଳରେ ବେରୋଜଗାର ଦର ହ୍ରାସ ପାଇ ୯.୫୮ ପ୍ରତିଶତରେ ପହଞ୍ଚିଛି। ଦେଶରେ ବିଭିନ୍ନ ସ୍ଥାନରେ ତାଲା ବନ୍ଦ ଯୋଗୁଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ନ ହେବା, ଅଧିକାଂଶ କମ୍ପାନୀ ନୂତନ ନିଯୁକ୍ତି ନ ଦେବା ଓ ପବନରେ ମହାମାରୀର ଭୂତାଣୁୁ ବ୍ୟାପିଥାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିବା ପରେ ସହରରେ ବେରୋଜଗାର ଦର ବୃଦ୍ଧି ପାଇଥିବା କୁହାଯାଉଛି। କେବଳ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ଛାଡ଼ି ଦେଲେ କରୋନା ସମୟରେ ଅନ୍ୟ କୌଣସି କ୍ଷେତ୍ରରେ ବିଶେଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ନାହିଁ।

ଗତ ଏପ୍ରିଲ ମାସରେ ସିଏମଆଇଇ ସମଗ୍ର ଦେଶରେ ୧.୭୫ ଲକ୍ଷ ପରିବାରଙ୍କ ଉପରେ ଏକ ସର୍ବେକ୍ଷଣ କରିଥିଲା। କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ସର୍ବାଧିକ ପରିବାରର ଆୟ ହ୍ରାସ ପାଇଛି। ୫୫ ପ୍ରତିଶତଙ୍କ ଆୟ ହ୍ରାସ ପାଇଥିବାବେଳେ ୪୨ ପ୍ରତିଶତଙ୍କ ଆୟ ସମାନ ଥିବା ଓ ୩ ପ୍ରତିଶତଙ୍କ ଆୟ ବୃଦ୍ଧି ପାଇଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି। ହାରାହାରି ଦେଖିବାକୁ ଗଲେ ଏହି ମହାମାରୀ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ୯୭ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି।

Leave A Reply

Your email address will not be published.

two × two =

error: Content is protected !!
Open chat