ନୂଆ ଢାଞ୍ଚାରେ ମାଟ୍ରିକ୍‌ ପରୀକ୍ଷା, ଜାନୁଆରୀ ୫ରୁ ସମେଟିଭ୍‌-୧ ପରୀକ୍ଷା ଦେବେ ୫ଲକ୍ଷ ୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀ

0 412
greentech

କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମାଟ୍ରିକ୍‌ ପରୀକ୍ଷା ଲାଗି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜାରି ହୋଇଥିବା ନୂତନ ବ୍ୟବସ୍ଥା ଆଧାରରେ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ । ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟରେ ମୋଟ ୫ଲକ୍ଷ ୭୧ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ୩ ହଜାର ୯୩ ଟି କେନ୍ଦ୍ର(ସେଣ୍ଟର)ରେ ଏହି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବୋର୍ଡ ଦେଇଥିବା ସୂଚନା ଅନୁସାରେ, ସମେଟିଭ୍‌ -୧ ପରୀକ୍ଷା ଆସନ୍ତା ୫ ତାରିଖରୁ ୮ ତାରିଖ ଯାଏ ଚାଲିବ । ୫୦ ନମ୍ବର ବିଶିଷ୍ଟ ଅବ୍‌ଜେକ୍ଟିଭ୍‌ ପରୀକ୍ଷା ପ୍ରତ୍ୟେହ ଦୁଇଟି ସିଟିଂରେ କରାଯିବ । ପରୀକ୍ଷା ଲାଗି ସମୟ ନିର୍ଘଣ୍ଟ ୧ ଘଣ୍ଟା ଧାର୍ଯ୍ୟ କରାଯାଇଛି । ସାହିତ୍ୟ, ଇଂଗ୍ରାଜୀ, ସଂସ୍କୃତ, ହିନ୍ଦୀ, ସାଧାରଣ ବିଜ୍ଞାନ, ସାମାଜିକ ବିଜ୍ଞାନ ପରୀକ୍ଷା ଲାଗି ସମୟ ନିର୍ଘଣ୍ଟ ୧ ଘଣ୍ଟା ରହିଥିବା ବେଳେ ଗଣିତ ସମୟ ୧ ଘଣ୍ଟା ୧୫ ମିନିଟ୍‌ ରହିଛି ।

ପରୀକ୍ଷା ସମ୍ପର୍କିତ ସମସ୍ତ ବିବରଣୀ ବୋର୍ଡ ୱେବ୍‌ସାଇଟ୍‌ରେ ଦିଆଯାଇଛି । ପରୀକ୍ଷାର୍ଥୀ ସଂଖ୍ୟା ଏବଂ ପରୀକ୍ଷା ସେଣ୍ଟର ତାଲିକା, କେଉଁ ପରୀକ୍ଷାର୍ଥୀ କେଉଁ ସେଣ୍ଟରରେ ପରୀକ୍ଷା ଦେବେ, ନୋଡାଲ୍‌ ସେଣ୍ଟର ଆଦି ବାବଦରେ ବିଭିନ୍ନ ତଥ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ବୋର୍ଡ ପକ୍ଷରୁ ଜାରି ହୋଇଥିବା ୱେବସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି ପାଇପାରିବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରଚଳିତ ନୂଆ ବ୍ୟବସ୍ଥା ଆଧାରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ-୧ ଏବଂ ଫର୍ମେଟିଭ୍‌ ଆସେସ୍‌ମେଣ୍ଟ-୨ ପରୀକ୍ଷା ନିଜ ନିଜ ବିଦ୍ୟାଳୟରେ ଦେଇସାରିଛନ୍ତି । ମାତ୍ର ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବ । ଏଥିଲାଗି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଶ୍ନପତ୍ର ଯୋଗାଇଦେବାଠାରୁ ଆରମ୍ଭ କରି ସେଣ୍ଟର ଚୟନ, ଖାତା ଦେଖା ଆଦି ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେହିପରି ମଧ୍ୟମା ପରୀକ୍ଷା ମଧ୍ୟ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟରେ ୩୭୩୧ ଜଣ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେବେ । ମଧ୍ୟମା ପରୀକ୍ଷା ଲାଗି ମଧ୍ୟ ବୋର୍ଡ ପକ୍ଷରୁ ସ୍ଥିର ହୋଇଥିବା ପରୀକ୍ଷା ସେଣ୍ଟର, ନୋଡାଲ୍‌ ସେଣ୍ଟର ଆଦି ସୂଚନା ୱେବସାଇଟ୍‌ରେ ଅପଲୋଡ୍‌ ହୋଇଛି ।

Leave A Reply

Your email address will not be published.

19 + 14 =

error: Content is protected !!
Open chat