ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିବା ବେଳେ ମୁମ୍ବାଇର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଡାକୁ, ରାସ୍ତା ଏବଂ କଭି ଖୁସୀ କଭି ଗମ ଭଳି ଚଳଚ୍ଚିତ୍ରରେ କାମ କରି ଚର୍ଚ୍ଚିତ ହୋଇଥିଲେ।
ଏହା ସହ ଶଶିକଳା ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦୀ କରୋଗୀ, ୧୯୫୩ ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ ୧୯୬୮ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ରର ନଜର ଆସିଥିଲେ। ଅନ୍ୟ କେତେକ ଚଳଚ୍ଚିତ୍ର, ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଶଶିକଳା ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ସକ୍ରିୟ ଥିଲେ। ସୋନପରୀ ଏବଂ ଜୀନା ଇସି କା ନାମ ହେ ପରି ଲୋକପ୍ରିୟ ଧାରାବାହିକରେ ସେ କାମ କରି ଲୋକଙ୍କ ମନ କିଣିଥିଲେ।
ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ ଶଶିକଳାଙ୍କୁ ୨୦୦୭ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ମସିହାରେ ସେ ଭି ଶାନ୍ତାରାମ ଆୱାର୍ଡ ସୋ’ରେ ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ ହୋଇଥିଲେ।