ପୁର୍ନଉଦ୍ଧାର ଅପେକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ ‘ଅମର୍ଦ୍ଦା ଏୟାର ଷ୍ଟ୍ରିପ’ – ରକ୍ଷଣାବେକ୍ଷଣ ଓ ଆନ୍ତରିକତାର ଅଭାବରୁ ଚାରଣ ଭୂମି ପାଲଟିଛି ବିମାନ ଘାଟି
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
- ରକ୍ଷଣାବେକ୍ଷଣ ଓ ପୁର୍ନଉଦ୍ଧାର ନିମନ୍ତେ ଗୁମୁରି କାନ୍ଦୁଛି ‘ଅମର୍ଦ୍ଦା ଏୟାର ଷ୍ଟ୍ରିପ’ ! !
ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୭ : ଗୁମୁରି କାନ୍ଦୁଛି ମୟୂରଭଞ୍ଜର ଐତିହ୍ୟ ରାସଗୋବିନ୍ଦପୁର ସ୍ଥିତ ‘ଅମର୍ଦ୍ଦା ଏୟାର ଷ୍ଟ୍ରିପ’। ବ୍ରିଟିଶ ଶାସନ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱ ବହନ କରି ଆସିଥିବା ରାସଗୋବିନ୍ଦପୁର ବିମାନ ଘାଟି ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ମୂଲ୍ୟହୀନ ହୋଇପଡ଼ିଛି । ରକ୍ଷଣାବେକ୍ଷଣ ଓ ପୁର୍ନଉଦ୍ଧାର ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ବିମାନ ଘାଟି ଆଜି ଚାରଣଭୂମି ପାଲଟିଯାଇଛି । କେବଳ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ରେ ବିମାନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଚଳଚଂଚଳ ହୋଇ ଉଠିଥାଏ ବିମାନଘାଟି ।
![](https://i0.wp.com/kalingajyoti.com/wp-content/uploads/2020/07/july26.jpg?resize=1024%2C1008&ssl=1)
‘ଅମର୍ଦ୍ଦା ନଗର’ ବଙ୍ଗୋପସାଗର ନିକଟବର୍ତି ଅଂଚଳରେ ଅବସ୍ଥିତ ହୋଇଥିବାରୁ ସାମରିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ୧୯୩୮ରେ ତକ୍ରାଳୀନ ଇଂରେଜ ସରକାର ୩ କୋଟି ଟଙ୍କା ବ୍ୟୟ ବରାଦରେ ୨୦ କିଲୋମିଟର ବ୍ୟାସାର୍ଦ୍ଧରେ ୬ ଶହ ଏକରରୁ ଅଧିକ ଜମି ଉପରେ ସାଢେ଼ ୩ କି.ମି.(ପ୍ରାୟ ୧୧ ହଜାର ଫୁଟ)ରୁ ଅଧିକ କଂକ୍ରିଟ ରନୱେ ସହ ଏସିଆ ମହାଦେଶର ସର୍ବବୃହତ ୱାର ଏୟାରବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୧୯୪୦ରେ ଶେଷ କରିଥିଲେ । ଏଥିରେ ଟ୍ୟାକ୍ସି ୱେ, ଆପରୋନ୍ସ ଆଦିକୁ ମିଶାଇଲେ ମୋଟ ୬ ଶହ କି.ମି.ର ରନୱେ ରହିଛି । ଉକ୍ତ ଏୟାରବେଶରେ ଏକ ସମୟରେ ୨ଟି ବୃହତ ଯୁଦ୍ଧ ଜାହାଜ ଅବତରଣ କରିପାରିବା ଭଳି ରନ ୱେ ସାଙ୍ଗକୁ ୩ ଶହରୁ ଅଧିକ ଛୋଟ ଛୋଟ ରହିପାରିବା ଭଳି ବଙ୍କର ବା ସୁଡ଼ଙ୍ଗ ଆଦି ମଧ୍ୟ ନିର୍ମାଣ କରାଯାଇଥିଲା । ମୁଖ୍ୟତଃ ଯୁଦ୍ଧରେ ବ୍ୟବହାର କରାଯିବା ନିମନ୍ତେ ବିମାନ ଘାଟିଟି ନିର୍ମାଣ କରାଯାଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାକୁ ଜାପାନ ବିରୋଧୀ ଯୁଦ୍ଧରେ ସହାୟତା କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ଏହା ୧୯୪୩ରୁ ଏୟାର ଫାଇଟିଂ ଟ୍ରେନିଂ ୟୁନିଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ସମୟରେ ବ୍ରିଟିଶ ଏୟାର ଫୋର୍ସର ୧୩୬, ୧୭୭ ଓ ୬୦୭ ଆଦି ସ୍ୱାଡର଼୍ନ ପକ୍ଷରୁ ଘାଟିକୁ ବ୍ୟବହାର କରାଯାଉଥିଲା । ଗବେଷଣାରୁ ଜଣାପଡେ଼ ୧୯୪୫ ଜୁଲାଇ ୨୬ରେ ଉକ୍ତ ଏୟାର ବେଶରୁ ବ୍ରିଟିଶ ରୟାଲ ଏୟାର ଫୋର୍ସର ବି-୨୪ ଲିବେରେଟୋର ଶ୍ରେଣୀର ୪ ଇଞ୍ଜିନ ବିଶିଷ୍ଟ ଇଡବ୍ଲ୍ୟୁ-୨୨୫ ଓ ଇଡବ୍ଲ୍ୟୁ-୨୪୭ ଦୁଇଟି ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଜଳେଶ୍ୱର ନିକଟସ୍ଥ ଓ ପଡେ଼ାଶୀ ପଶ୍ଚିମବଙ୍ଗ ସୀମା ଆକାଶରେ ପରସ୍ପର ସହିତ ସମ୍ମୁଖରୁ ଧକ୍କା ହେବାରୁ ଦୁଇ ବିମାନରେ ଥିବା ଆମେରିକା, କାନାଡ଼ା, ବ୍ରିଟେନ, ନେଦରଲାଣ୍ଡ ଆଦି ବିଭିନ୍ନ ଦେଶର ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ରାସଗୋବିନ୍ଦପୁରସ୍ଥିତ ଏୟାର ବେଶରେ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଆସୁଛି ।
ଏହି ବିମାନ ଘାଟି ବାଲେଶ୍ୱର ଜିଲ୍ଲାର ଷ୍ଟେସନ ଅମର୍ଦ୍ଦା ନିକଟ ହୋଇଥିବାରୁ ଅମର୍ଦ୍ଦା ଏୟାର ଷ୍ଟ୍ରିପ ଭାବେ ନାମକରଣ ହୋଇଥିବାର ଅନୁମାନ କରାଯାଏ । ଅବ୍ୟବହୃତ ହୋଇପଡ଼ିରହିଥିବା ଏହି ବିମାନ ଘାଟିର ଜରାଜୀର୍ଣ୍ଣ ରନୱେ, ବିମାନ ପାର୍କିଂ ନିମନ୍ତେ ହଙ୍ଗର, ଯନ୍ତ୍ରୀମାନଙ୍କର ଆବାସିକ ଗୃହ, ବଙ୍କର ବା ସୁଡ଼଼ଙ୍ଗ, ଗେଷ୍ଟ ହାଉସ ଆଦି ମୂକସାକ୍ଷୀ ଭାବେ ଇତିହାସର ପୃଷ୍ଠାକୁ ମନେପକାଇ ଦେଉଛି । ୧୯୪୭ ଅଗଷ୍ଟ ୧୫ ଭାରତ ସ୍ୱାଧୀନ ହେଲା । ଇଂରେଜମାନେ ଭାରତ ଛାଡ଼ିବା ପୂର୍ବରୁ ଏୟାର ବେଶରେ ଥିବା ସୁଡ଼ଙ୍ଗର ପ୍ରାୟ ୧୫/ ୨୦ ଫୁଟ ପରେ କଂକ୍ରିଟ ଢ଼ଳେଇ ଦ୍ୱାରା ବନ୍ଦ କରି ଦେଇଯାଇଥିବାର ପରିଲକ୍ଷିତ ହୋଇଛି । ତେବେ ଏହି ବନ୍ଦ ସୁଡ଼ଙ୍ଗ ଭିତରେ ଇଂରେଜମାନେ କଣ ଛାଡ଼ି ଦେଇ ଯାଇଛନ୍ତି, ତାହା ଅଦ୍ୟାବଧି ଏକ ସାସ୍ପେନସ୍ ହୋଇ ରହିଯାଇଥିବା ବେଳେ ଇଂରେଜମାନେ ନିଜ ଦେଶକୁ ଫେରି ଯାଇଥିବା ବେଳେ ସାଥୀରେ ନେଇ ନ ପାରି କିଛି ଯୁଦ୍ଧରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ଛାଡ଼ି ଦେଇଥିବାର ଅନୁମାନ କରାଯାଇଛି ।
ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ୧୯୪୯ ଜାନୁଆରୀ ୧ରେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଓ ଜାନୁଆରୀ ୨ରୁ ଓଡ଼ିଶାର ସ୍ୱତନ୍ତ୍ର ଜିଲ୍ଲା ଭାବେ ମୟୂରଭଞ୍ଜ ଶାସିତ ହେଲା । ବିମାନ ଘାଟି ରାସଗୋବିନ୍ଦପୁର ବ୍ଲକ ଅଧୀନରେ କାର୍ଯ୍ୟକଲା ଏବଂ କିଛି ବର୍ଷ ହେବ ବିମାନ ଘାଟି ଭାରତ ପ୍ରତିରକ୍ଷା ବିଭାଗର ଡିଆରଡ଼ିଓ ଅଧୀନକୁ ଗଲା । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିଠାରୁ ଏୟାରରେ ରାସଗୋବିନ୍ଦପୁର ଏୟାରବେଶର ଦୂରତ୍ୱ ପ୍ରାୟ ୩୫ କିମି. ମଧ୍ୟରେ ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ବିମାନ ଘାଟିର ନବିକରଣ ଓ ପୁର୍ନଉଦ୍ଧାର ଅନେକ ଗୁରୁତ୍ୱ ବହନ କରିବ । କିନ୍ତୁ ଭାରତ ସ୍ୱାଧୀନ ହେବାର ପରବର୍ତି ସମୟଠାରୁ ବିମାନ ଘାଟି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କାରଣରୁ ଏହା ପରିତ୍ୟକ୍ତ ଅବସ୍ଥାକୁ ଆସି ଚାରଣ ଭୂମିରେ ପରିଣତ ହୋଇସାରିଛି । ସେହିପରି ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାରେ ବୃହତ ଅଥବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇ ନ ଥିବାରୁ ଜିଲ୍ଲାରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଜନସାଧାରଣ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯାଇଥାନ୍ତି । ଏହି ସମୟରେ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ଭବ ହୋଇ ପାରିଲେ ଜିଲ୍ଲାବାସୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରନ୍ତା । ଏଥି ନିମନ୍ତେ ପ୍ରଥମେ ଗମନାଗମନ କ୍ଷେତ୍ରରେ ଭିତିଭୂମିକୁ ସୁଦୃଢ଼ କରାଇବାର ଆବଶ୍ୟକତା ରହିଛି । ସେହିପରି ଦେଶ ବିଦେଶରୁ ଜିଲ୍ଲାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଇବା କ୍ଷେତ୍ରରେ ବିମାନସେବାର ଗୁରୁତ୍ୱ ମଧ୍ୟ ରହିଛି ।
![](https://kalingajyoti.com/wp-content/uploads/2020/07/7_Squadron_April_1945_no_names-1.jpg)
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ,୨୦୧୬ ସୁଦ୍ଧା ମୟୂରଭଞ୍ଜରୁ ବିମାନ ସେବା ଉପଲବ୍ଧ ହୋଇଥାନ୍ତା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ବିମାନ ଉଡ଼ାଣର କୌଣସି ଗନ୍ଧବାସ ମିଳିପାରି ନାହିଁ । ସେହିପରି କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ସୂଲଭ ମୂଲ୍ୟରେ ଅର୍ଥାତ୍ ସର୍ବାଧିକ ୨୫୦୦ ଟଙ୍କା ଭଡ଼ା ମଧ୍ୟରେ ଛୋଟ ଛୋଟ ସହରଗୁଡ଼ିକୁ ବିମାନ ସେବା ଉଡ଼ାଣ, ବିଦେଶରେ ଘରୋଇ ବିମାନ ସେବା ଆରମ୍ଭ କରିବା ପାଇଁ ନିୟମକୁ କୋହଳ କରିବା ସଂଗେ ସଂଗେ ବନ୍ଦ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଏୟାର ଷ୍ଟ୍ରିପଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ଓ ଯୋଜନା ଏହି ‘ଅମର୍ଦ୍ଦା ଏୟାର ଷ୍ଟ୍ରିପ’ ପାଇଁଁ ଅପହଂଚ , ଯେପରି ଫାଇଲର ନାଲିଫିତା ତଳେ ଚାପି ହୋଇ ରହିଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/6037bfeb-a601-438c-8fec-18e9f47846f0.jpg?resize=697%2C430&ssl=1)