ପ୍ରବାସୀ ଥଇଥାନ ଯୋଜନା ଭେଳିକି: ରାଜ୍ୟରେ କାମଧନ୍ଦା ନପାଇ ଦୁର୍ଦ୍ଦିନରେ ଏବେ ପ୍ରବାସୀଙ୍କ ‘ସ୍ୱସ୍ଥାନ-ଗଚ୍ଛ’

0 495
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୯ : ପ୍ରବାସୀଙ୍କୁ କାମଧନ୍ଦା ଯୋଗାଇ ପାରିଲାନି ସରକାର । ଫଳରେ ଭିଟାମାଟି ଛାଡି ପୁଣି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ । ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଭରପୁର ପ୍ରାକୃତିକ ସଂପଦ । ଖଣି ଖାଦାନ ଠାରୁ ଆରମ୍ଭ କରି ଚାଷ ଜମି, ନଦୀ ପଠା, ଜଙ୍ଗଲ ଓ ସମୁଦ୍ର ମୁହାଣ ଆଦି ରହିଥିବା ବେଳେ ସେଗୁଡିକ ବିନିଯୋଗ କରାଗଲେ ବେକାର ନିଯୁକ୍ତି ହୋଇପାରନ୍ତା । ମାତ୍ର ରାଜ୍ୟ ସରକାରଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁଁ ବାହାର ରାଜ୍ୟ ତଥା ବିଦେଶ କଂପାନୀ ହାତରେ ଏହାକୁ ଟେକି ଦିଆଯାଉଛି ।

କରୋନା ଆରମ୍ଭ ହେବାପରେ ବିଭିନ୍ନ କଂପାନୀର କାମଧନ୍ଦା ବନ୍ଦ ହୋଇଥିଲା । ସେଠାରେ ପ୍ରବାସୀମାନେ ଖାଇବାକୁ ପାଇଲେ ନାହିଁ । ନିଜ ରାଜ୍ୟକୁ ଫେରିବାକୁ ଆକୁଳ ନିବେଦନ କଲେ । ସେମାନଙ୍କୁ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରେ ରଖି ଘରକୁ ଛାଡିଲେ । ସରକାରଙ୍କ ପକ୍ଷରୁ ଗରିବ ରୋଜଗାର ଯୋଜନା ହେଉ ବା ମନରେଗା ଯୋଜନା ଜରିଆରେ ସେମାନଙ୍କୁ କାମ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଅଧିକାଂଶ ପ୍ରବାସୀଙ୍କ ହାତରେ ଟଙ୍କାଟିଏ ନାହିଁ । ବିଗତ ୫ ମାସ ହେଲା ବେରୋଜଗାର ନହୋଇଥିବାରୁ ପରିବାର ପୋଷଣ କରିବା ବଡ କଷ୍ଟକର ହୋଇପଡିଛି । ଧାର କରଜ କରି ଧାନ ଚାଷ କରିବା ପରେ ଓଳିଏ ଖାଇ ଓଳିଏ ଓପାସରେ ରହିବାକୁ ପଡୁଛି । ଅନ୍ୟପଟେ ମନରେଗା ଯୋଜନାରେ ବର୍ଷାଦିନେ କାମ ନାହିଁ ଏବଂ କେତେକ ସ୍ଥଳରେ ମେସିନ୍‌ ଜରିଆରେ କାମ କରାଯାଇ ଠିକାଦାର ଓ ସରକାରୀ କର୍ମଚାରୀ ମାଲେମାଲ ହେଉଛନ୍ତି ।

ଏପରି ସ୍ଥଳରେ ଦାଦନଙ୍କ ଜୀବନ ଜୀବିକା ନିର୍ବାହ କରିବା ଦୁର୍ବିସହ ହୋଇପଡିଛି । ଯାହା ଫଳରେ ପୂର୍ବରୁ କାମ କରୁଥିବା କଂପାନୀର ଡାକରାରେ ପ୍ରବାସୀମାନେ ପୁଣି ଦାଦନ ଖଟିବାକୁ ବାଧ୍ୟ ହେଉଥିବା ପରିଲକ୍ଷିତ ହେଉଛି । ରଜ୍ୟରୁ ଏବେ ଶହ ଶହ ପ୍ରବାସୀ ଦୈନିକ ବସ ଯୋଗେ ବାହାର ରାଜ୍ୟକୁ ଯାଉଥିବା ଜଣାଯାଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ସୁରଟ, ଚେନ୍ନାଇ ଅଦି ସ୍ଥାନରୁ ବସ‌ ଆସୁଛି ଏବଂ ଇଚ୍ଛୁକ ବ୍ୟକ୍ତିଙ୍କୁ ନେଇ ଯାଉଛନ୍ତି । ଏନେଇ ସଂପୃକ୍ତ କଂପାନୀ ଗୁଡିକ ମଧ୍ୟପରିବାର ପୋଷଣ ପାଇଁ ଅଗ୍ରୀମ ପାଉଣା ୧୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେଉଥିବା ପ୍ରବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଏମାନେ ଭିଟାମାଟି ଛାଡି ଦାଦନ ଖଟିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

Leave A Reply

Your email address will not be published.

ten − two =

error: Content is protected !!
Open chat