ବଦଳିଲା କମିସନରେଟ୍ ପୁଲିସର କଳେବର : ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି, ସୌମ୍ୟା ମିଶ୍ର ଟ୍ରାଫିକ ଡିସିପି – ସାଗରିକା ନାଥ ଗଲେ ସୁନ୍ଦରଗଡ଼ ଏସ୍ପି ହୋଇ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ରାଜ୍ୟ ସରକାର ଭୁବନେଶ୍ୱରର ୫ମ ଡିସିପି ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି। କମିସନରେଟ୍ ପୁଲିସର ଭୁବନେଶ୍ୱର ଡିସିପି ଭାବରେ ଉମାଶଙ୍କର ଦାଶଙ୍କୁ ଦାୟିତ୍ବ ଦିଆଯାଇଛି। ଖୁବ୍ଶୀଘ୍ର ସେ ଏହି ଦାୟିତ୍ବ ନେବାକୁ ଯାଉଛନ୍ତି। ତେବେ ତାଙ୍କର ପୁରୁଣା ରେକର୍ଡକୁ ଅନୁଧ୍ୟାନ କଲେ ଝାରସୁଗୁଡ଼ା, ରାଉରକେଲା ଓ ପୁରୀରେ ତାଙ୍କର କାର୍ଯ୍ୟକାଳ ସର୍ବାଧିକ ବର୍ଷେ କିମ୍ବା ଦେଢ଼ ବର୍ଷ ରହିଛି। ଭୁବନେଶ୍ବର ଡିସିପି ଏକ ଗୁରୁତ୍ବପୂର୍ଣ୍ଣ ପଦ ହୋଇଥିବାରୁ ଏଥିପାଇଁ ବିଭିନ୍ନ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କର ନାମକୁ ନେଇ ଚର୍ଚ୍ଚା ହେଉଥିଲା। ୨୦୦୮ ବ୍ୟାଚ୍ର ଏହି ଆଇପିଏସ୍ ଝାରସୁଗୁଡ଼ା, ରାଉରକେଲା ଓ ପୁରୀ ଏସ୍ପି ଭାବରେ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ଘର ମୟୂରଭଞ୍ଚ ଜିଲ୍ଲା ଯଶୀପୁର। ଯଶୀପୁରରେ କଲେଜ୍ ସାରିବା ପରେ ସେ ବାଣୀବିହାରରେ ଏମ୍ବିଏ କରିଥିଲେ। ଏମ୍ବିଏ ପରେ ଆଇଏଏସ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘରୋଇ ସଂସ୍ଥାରେ ଚାକିରି ମଧ୍ୟ କରିଥିଲେ। ୨୦୦୮ ମସିହାରେ ସେ ଆଇପିଏସ୍ ପାଇଥିଲେ। ବାଣୀବିହାରରେ ପାଠ ପଢ଼ିବା ସମୟରେ ଭୁବନେଶ୍ବରକୁ ନେଇ ତାଙ୍କର ଅଭିଜ୍ଞତା ରହିଛି। ଏଣୁ ଭୁବନେଶ୍ୱର ଡିସିପି ଭାବରେ ଗୁରୁଦାୟିତ୍ବକୁ ନିଭାଇବା ସହଜ ହେବ ବୋଲି କୁହାଯାଉଛି।

ସେହିଭଳି ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ବର ଟ୍ରାଫିକ୍ ଡିସିପି ଭାବରେ ନୂଆ ଦାୟିତ୍ବ ମିଳିଛି। ଜିଲ୍ଲାରେ ଏସ୍ପି ଭାବରେ ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍ ସମ୍ଭାଳିଥିବା ଏହି ମହିଳା ଅଧିକାରୀଙ୍କ ପାଇଁ ନୂଆ ଦାୟିତ୍ବ ସହଜ ହେବ ବୋଲି କୁହାଯାଉଛି। ଏହି ଜାଗାରେ ପୁଣି ଜଣେ ମହିଳା ଅଧିକାରୀ ଆସୁଛନ୍ତି। ତେବେ ସୁନ୍ଦରଗଡ଼ରେ ଥିବା ବେଳେ ସେ ବିବାଦକୁ ଆସିଥିଲେ। ଥାନା ଆକ୍ରମଣ ଓ ଗାଡ଼ି ପୋଡ଼ିବା ଘଟଣାରେ ଖୋଦ୍ ଏସ୍ପି ଜଣେ ଅଭିଯୁକ୍ତକୁ ଖୋଜିବା ପାଇଁ ଘରେ ପଶି ଆକ୍ରମଣ କରିବା ଯୋଗୁ ତାଙ୍କର ଗର୍ଭନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲା। କୋର୍ଟଙ୍କ ଆଦେଶକ୍ରମେ ହେମଗିରି ଥାନାରେ ଏସ୍ପିଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।

ସେହିଭଳି କମ୍ ଦିନରେ ଚର୍ଚ୍ଚାକୁ ଆସିଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କର ସୁନ୍ଦରଗଡ଼ ଏସ୍ପି ଭାବରେ ନୂଆ ଦାୟିତ୍ବ ମିଳିଛି। ଅନ୍ୟପଟେ ପୂର୍ବତନ ଡିସିପି ଅନୁପ କୁମାର ସାହୁ ଦକ୍ଷ ଅଫିସର ଥିଲେ। ସେ ପଦୋନ୍ନତି ପାଇବା ପରେ ଅତିରିକ୍ତ କମିସନର ଭାବରେ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କୁ ଡିସିପି ଭାବରେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ସେ ଗୁଇନ୍ଦା ବିଭାଗ ଯାଇଛନ୍ତି। ଡିଆଇଜି ଭାବରେ ସେ ଏବେ ଏଠାରେ ଦାୟିତ୍ବ ତୁଲାଇବେ। ଗୁଇନ୍ଦା ବିଭାଗ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏବେ ତାଙ୍କ ଦାୟିତ୍ବ ବଢ଼ିଥିବା କୁହାଯାଉଛି। ଖୁବ୍ଶୀଘ୍ର ସେ ମଧ୍ୟ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଗୀତ ଗାଇ ଚର୍ଚ୍ଚିତ ଥିବା ମହିଳା ଆଇପିଏସ୍ ସାରା ଶର୍ମା ଭୁବନେଶ୍ବର ଆସିଛନ୍ତି। ଗଜପତି ଏସ୍ପି ଭାବରେ ଥିବା ବେଳେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ସାର୍ଥକ ଷଡ଼ଙ୍ଗୀ କ୍ରାଇମ୍ବ୍ରାଞ୍ଚ ଏସ୍ପି ଭାବରେ ବଦଳି ହେବା ପରେ ତାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ଭାବରେ ଦାୟିତ୍ବ ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇପିଏସ୍ ଅଫିସର ଏମ୍ ଅକ୍ଷୟଙ୍କୁ ପୁଲିସ ହାଉସିଂ ଓ ୱେଲଫେୟାର କର୍ପୋରେସନ ସିଏମଡି ଭାବରେ ଦାୟିତ୍ବ ମିଳିଛି। ଏହି ନୂଆ ଅଧିକାରୀମାନେ ଭୁବନେଶ୍ବରରେ ଖୁବ୍ଶୀଘ୍ର କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଛନ୍ତି।