ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ

0 439
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍‌ ଗ୍ରହଣ ହେବ । ଏଥିସହ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଉପନିର୍ବାଚନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବା ଭଳି ବ୍ୟବସ୍ଥା କରାଯାଇଛି । ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ ଭୋଟ୍‌ ଗ୍ରହଣ କେନ୍ଦ୍ର କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ବାଲାଟରେ ଭୋଟ୍‌ ଦେଇପାରିବେ ।

ସିଇଓଙ୍କ ସୂଚନା ଅନୁଯାୟୀ, ବାଲେଶ୍ୱର ସଦର (୩୮) ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୬ ହଜାର ୫୮୬ ଜଣ ମତଦାତା ରହିଛନ୍ତିି । ସେମାନଙ୍କ ମଧ୍ୟରେ ୧,୧୬,୮୮୪ ଜଣ ପୁରୁଷ ମତଦାତା , ୧,୦୯,୬୯୩ ଜଣ ମହିଳା ଓ ୯ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହିପରି ତିର୍ତ୍ତୋଲ (୧୦୨ , ଏସସି) ନିର୍ବାଚନମଣ୍ଡଳୀରେ ମୋଟ ୨,୩୮,୦୬୫ ଜଣ ମତଦାତା ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧,୨୩,୬୦୦ ଜଣ ପୁରୁଷ,୧,୧୪,୪୨୮ ଜଣ ମହିଳା ଓ ୨୮ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତିି ।

ଉଲ୍ଲେଖ୍ୟଯୋଗ୍ୟ ଯେ ମଙ୍ଗଳବାର ଦିନ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ସମେତ ମୋଟ ୫୪ ଟି ଆସନରେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଥିଲେ । ଉପନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୬ ରହିଛି । ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ହେବ । ପ୍ରାର୍ଥୀପତ୍ର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୯ । ଏହା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ନଭେମ୍ବର ୩ରେ ଭୋଟ୍‌ ଓ ଫଳାଫଳ ପ୍ରକାଶ ପାଇବ ନଭେମ୍ବର ୧୦ରେ ।
ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତିି ଯେ କରୋନା ଆକ୍ରାନ୍ତଙ୍କ ମଧ୍ୟ ଭୋଟ୍‌ ଦେଇପାରିବେ । ଶେଷ ଏକ ଘଂଟାରେ ସେମାନଙ୍କ ପାଇଁ ଭୋଟ୍‌ ଦେବାର ବ୍ୟବସ୍ଥା କରାଯାଉଛି । ବୁଥରେ ଗହଳି ଏଡ଼ାଇବାକୁ ପ୍ରତି ହଜାରେ ଭୋଟରଙ୍କ ପାଇଁ ହେବ ଗୋଟିଏ ମତଦାନ କେନ୍ଦ୍ର । ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯିବ ସହିତ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

7 + 18 =

error: Content is protected !!
Open chat