ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଜରୁରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 214
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୭/୦୬ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ବିପର୍ଯ୍ୟୟ ଜନିତ ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି ହେଉଛି ଦୀର୍ଘକାଳୀନ ମୁକାବିଲା ଯେଉଁଥି ପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ।ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ବ୍ୟବସ୍ଥା ପାଳନ କରିବାକୁ ପରାମର୍ଶ ଦେଇ କହିଛନ୍ତି ଯେ ଗୋଷ୍ଠୀଭିତ୍ତିକ ପରିଚାଳନାରେ ଆମର ପୂର୍ବ ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି। ସେ କହିଛନ୍ତି ଯେ ଗତ ୩ ମାସ ଧରି କରୋନା ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି। ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଓ ପୂର୍ବରୁ ଏଭଳି ପରିସ୍ଥିତିର ସାମ୍ନା କରିଥିବାରୁ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ ଅଛୁ। ସେ ଫନି, ବୁଲବୁଲ ଓ ଅମ୍ଫନ ଭଳି ବାତ୍ୟା ମୁକାବିଲା ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଜନସାଧାରଣଙ୍କ ସହଯୋଗରେ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବାରେ ରାଜ୍ୟ ସଫଳତା ପାଇଛି ଏବଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ସାହାଯ୍ୟ ଯୋଗାଇ ଦେଇଛି।ଅତୀତରୁ ଶିକ୍ଷା ସବୁବେଳେ ଅତୀତର ବିପର୍ଯ୍ୟୟ ଗୁଡିକରୁ ଆମେ ଶିକ୍ଷା ଗ୍ରହଣ କରିଆସିଛୁ ଏବଂ ସମ୍ଭାବ୍ୟ ଦୁର୍ବିପାକ ପାଇଁ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ‘ଅଭିଜ୍ଞତାରୁ ଶିକ୍ଷା’ ଏବଂ ‘ପରବର୍ତ୍ତୀ ପ୍ରସ୍ତୁତି’ରେ ଉନ୍ନତିର ଏହି ନିରନ୍ତର ପ୍ରକ୍ରିୟା ପାଇଁ ଆମକୁ ସବୁ କ୍ଷେତ୍ରରୁ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ନିରନ୍ତର ସମୀକ୍ଷା ଆବଶ୍ୟକ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ । ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଆଗୁଆ ପଦକ୍ଷେପ ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଞ୍ଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି। ବନ୍ୟାପ୍ରବଣ ଅଞ୍ଚଳରେ ଆଗମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।

Leave A Reply

Your email address will not be published.

five × 1 =

error: Content is protected !!
Open chat