ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

0 482
greentech

ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ହୋଇଛି। ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ନିମୋନିଆରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ।

ସୂଚନା ଅନୁସାରେ, ଶ୍ରୀ ମହାପାତ୍ରଙ୍କୁ ଗତ କିଛି ଦିନ ହେଲା ଥଣ୍ଡା ଲାଗି ରହିଥିଲା। ଗତ ଶୁକ୍ରବାର ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏମିତିକି ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଘରେ ଅକ୍ସିଜେନ ଦିଆଯାଇଥିଲା। ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ପରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଯାଞ୍ଚ କରିବା ପରେ ତାଙ୍କୁ ନିମୋନିଆ ହୋଇଥିବା ସୂଚନା ଦେଇଥିଲେ। ଶ୍ରୀ ମହାପାତ୍ରଙ୍କ ଫୁସ୍‌ଫୁସ୍‌ରେ ପାଣି ଜମିବା ସହିତ କିଡ୍‌ନୀ କାମ କରୁନଥିବା ଡାକ୍ତର ପ୍ରାରମ୍ଭିକ ରିପୋର୍ଟରେ ସ୍ପଷ୍ଟ କରିଥିଲେ। ତେବେ ଡାକ୍ତର ଶ୍ରୀ ମହାପାତ୍ରଙ୍କ ଡାଏଲିସିସ୍‌ ପାଇଁ ଚେଷ୍ଟା ଜାରି ରଖିଥିଲେ।

ସୂଚନାଥାଉ କି, ଶ୍ରୀ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ଚିରସବୁଜ ସଙ୍ଗୀତ ଭେଟି ଦେଇଛନ୍ତି। ତାଙ୍କ ସଙ୍ଗୀତ ଦର୍ଶକଙ୍କ ହୃଦୟରେ ବସା ବାନ୍ଧି ରହିଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ବହୁ ଲୋକପ୍ରିୟ ତଥା ଚିରସବୁଜ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ମହମ୍ମଦ ରଫି ଗାଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୁରୀଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

ତାଙ୍କ ସଂଗୀତ ନିର୍ଦ୍ଦେଶିତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ‘ଅରୁନ୍ଧତୀ’,‘ସୂର୍ଯ୍ୟମୁଖୀ’,‘ମେଘମୁକ୍ତି’,‘ପ୍ରିୟତମା’ ‘ଅଗ୍ନିପରୀକ୍ଷା’, ‘ଡୋରା’, ‘ଜଗାବଳିଆ’, ‘ଗୋଲାମଗିରି’, ‘ରଣଭୂମି’, ‘ପଥର ଖସୁଛି ବଡ଼ ଦେଉଳୁ’ ଅନ୍ୟତମ । ଶାନ୍ତନୁଙ୍କ ସଂଗୀତ ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର ହେଉଛି ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ହିଁ ସାଥି ମୋର’।

Leave A Reply

Your email address will not be published.

19 − 7 =

error: Content is protected !!
Open chat