![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ବୈଦିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ବୈଦିକ ଶିକ୍ଷା ବୋର୍ଡ’ ଗଠନ କରିବାକୁ ଯାଉଛନ୍ତି। ଏ ଦିଗରେ ବିଚାରବିମର୍ଶ ଚାଲିଛି। ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ବୈଦିକ ଶିକ୍ଷାକୁ ସାମିଲ କରିବା ପାଇଁ ବିଚାର କରାଯାଉଛି। ବୈଦିକ ଶିକ୍ଷା ବୋର୍ଡ ସ୍ଥାପନ ପ୍ରସ୍ତାବ ଆରଏସଏସ ପକ୍ଷରୁ ଆସିଥିବା କୁହାଯାଉଛି। ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ ‘ଭାରତୀୟ ଶିକ୍ଷା ବୋର୍ଡ’ ନାମରେ ବୈଦିକ ଶିକ୍ଷା କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ଗତ ପ୍ରାୟ ଦୁଇ ବର୍ଷ ଧରି ଉଦ୍ୟମ ଚଳାଇଥିବାରୁ ଏହାକୁ ଏଭଳି ବୋର୍ଡ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦେଶର ପ୍ରଥମ ବୈଦିକ ଶିକ୍ଷା ବୋର୍ଡର ନେତୃତ୍ବ ବାବା ରାମଦେବ ନେବା ସ୍ପଷ୍ଟ ହୋଇଛି। ଏଥିପାଇଁ ସେ ୨୧କୋଟି ଟଙ୍କା ବିନିଯୋଗ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା ଭାରତୀୟ ଜ୍ଞାନ ଉପରେ ଆଧାରିତ ବୋର୍ଡ ହେବ ବୋଲି ପତଞ୍ଜଳି ଗ୍ରୁପ୍ର ପ୍ରମୁଖ ଆଚାର୍ୟ୍ୟ ବାଳକୃଷ୍ଣ କହିଛନ୍ତି।
ଅନ୍ୟପକ୍ଷେ ଏପରି ବୈଦିକ ଶିକ୍ଷା ବୋର୍ଡ ସ୍ଥାପନ ପାଇଁ ରାମଦେବଙ୍କ ସଂସ୍ଥା ବ୍ୟତୀତ ଋତନନ୍ଦ ବାଲବେଦ ଏଜୁକେସନ ଫାଉଣ୍ଡେସନ ଓ ପୁଣେସ୍ଥିତ ମହାରାଷ୍ଟ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି ମଧ୍ୟ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଅପରପକ୍ଷରେ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଦିକ ପାଠ୍ୟକ୍ରମ ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛି। ଏହାର ପରିଚାଳନା ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ଉପରେ ନ୍ୟସ୍ତ କରାଯିବାର ପ୍ରସ୍ତାବ ରହିଛି। ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ ନିଜର ମାନଦଣ୍ଡ ଅନୁସାରେ ପାଠ୍ୟକ୍ରମ ପ୍ରବର୍ତ୍ତନ କରିବା ସମ୍ଭାବନା ରହିଛି। ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ୫ଜଣିଆ ବିଶାରଦ ମଣ୍ଡଳୀ ଏହାର ଢାଞ୍ଚା ପ୍ରସ୍ତୁତ କରୁଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ସିବିଏସଇଠାରୁ ଏହା ଭିନ୍ନ ହେବ; ତେବେ ବିଦ୍ୟାଳୟରେ ବୈଦିକ ଶିକ୍ଷା ପ୍ରଣୟନ କରାଗଲେ ଏହା ପୁରୁଣା ବୋର୍ଡ ପାଠ୍ୟକ୍ରମରେ ସାମିଲ ହେବ। ୨୦୦୯ ଶିକ୍ଷା ଅଧିକାର ଆଇନର ଧାରା-୨୯ରେ ବୈଦିକ ପାଠଶାଳା ଓ ଧାରା-୩୦ରେ ମଦ୍ରାସା ଶିକ୍ଷାକୁ ସ୍ଥାନ ଦିଆଯାଇଛି। ଏପରି ହେଲେ ଆଉ ଏକ ଶିକ୍ଷା ବୋର୍ଡର ଆବଶ୍ୟକତା ନାହିଁ ବୋଲି କୁହାଯାଉଛି। ସିବିଏସଇ ସହିତ ସମାନ୍ତରାଳ ଭାବେ ଆଉ ଏକ ବୋର୍ଡ କାର୍ୟ୍ୟ କଲେ ସମସ୍ୟା ଉପୁଜିବା ଆଶଙ୍କା ଥିବାରୁ ଏହା ଉପରେ ଅଧିକ ବିଚାର କରାଯାଉଛି।
ତେବେ ବୈଦିକ୍ ଶିକ୍ଷା ବୋର୍ଡ ସ୍ଥାପନ କରାଗଲେ ଏହା ମାଧ୍ୟମରେ ଗୁରୁକୁଳ, ପାଠଶାଳା ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯିବ। ଏଥିରେ ସଂସ୍କୃତ, ଦର୍ଶନ, ବୈଦିକ ଶାସ୍ତ୍ର ଇତ୍ୟାଦି ଉପରେ ଶିକ୍ଷାଦାନ କରାଯିବ। ଏଠାରେ ଆଧୁନିକ ଶିକ୍ଷା ମଧ୍ୟ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରଣୟନ ସହିତ ଛାତ୍ରଛାତ୍ରୀଙ୍କଠାରୁ ଦେୟ ଆଦାୟ କରାଯିବ। ଏଭଳି ଶିକ୍ଷା ବ୍ୟବସ୍ଥା ପ୍ରଣୟନ ପାଇଁ ଆଗ୍ରହୀ ବିଭିନ୍ନ ରାଜ୍ୟର ସରକାରଙ୍କୁ ଭାରତୀୟ ଶିକ୍ଷା ବୋର୍ଡଠାରୁ ଅନୁମତି ନେବାକୁ ହେବ।