ମହାପ୍ରଭୁଙ୍କ ନୀତିକାନ୍ତି କୋରୋନା ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ

0 251
greentech

କଳିଙ୍ଗ ଜ୍ୟୋତି ପୁରୀ୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି। ଯେଉଁମାନଙ୍କର ରଥଯାତ୍ରା ପୂର୍ବରୁ ଟେଷ୍ଟ କରାଯାଇଥିଲା ସେମାନଙ୍କର ଆଉଥରେ ପରୀକ୍ଷା କରାଯିବ। କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତ ବାହୁଡ଼ାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଗୁରୁବାର ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ କହିଥିଲେ, କୋଭିଡ୍‌ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ପ୍ରାଥମିକତା ରହିବ। ପୁରୀ ରଥଯାତ୍ରାକୁ ଏମିତି କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେଣୁ ଏହାକୁ ଗୁରୁତ୍ୱର ସହ ନିଆଯାଉଛି। ବୈଠକରେ କୋଭିଡ଼ ଟେଷ୍ଟ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି.ପୁରୀରେ ୨ଟି ସ୍ପେଶାଲ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା ହେବ। ଡୁଡୁୱାଲା ଧର୍ମଶାଳାରେ ଏବଂ ଭିତର ସେବାୟତ ନିଯୋଗ ପରିସରରେ ଏହି କ୍ୟାମ୍ପ କରାଯିବ। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ କରିବ। ଏଠାରେ ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ରହିବେ। ସେବାୟତଙ୍କ ମଧ୍ୟରୁ କାହାର ଯଦି କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଥିବ ସେଠାରେ ଦେଖାଇପାରିବେ। ଏଥିସହ କରୋନା ଲକ୍ଷଣ ଚିହ୍ନଟ ପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେ କରାଯିବ। ଯାହାର କିଛି ଲକ୍ଷଣ ଜଣାପଡ଼ିବ ତାଙ୍କୁ ନୀଳାଦ୍ରିବିଜେ ପରେ ବି ୧୦/୧୫ ଦିନ ସର୍ଭେଲାନ୍ସରେ ରଖାଯିବ। ଏଥିସହ ଶ୍ରୀମନ୍ଦିର ଓ ମ୍ୟୁନିସିପାଲିଟି କର୍ମଚାରୀ, ପୋଲିସଙ୍କ ସମେତ ଅନ୍ୟ ଯେଉଁମାନେ ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ। ରଥଯାତ୍ରା ପୂରା ପ୍ରକ୍ରିୟାରେ ଯେପରି ଜଣେ ହେଲେ ବି ପଜିଟିଭ ସମ୍ପୃକ୍ତ ନ ରହିବେ ତାହା ଉପରେ ସତର୍କ ଦୃଷ୍ଟି ରହିବ। ବଡ଼ଦାଣ୍ଡ ଏବଂ ଏହାକୁ ସଂଯୋଗ କରୁଥିବା ଗଳିକନ୍ଦିକୁ ୨/୩ ପର୍ଯ୍ୟାୟ ବିଶୋଧନ କରାଯିବ। ରଥଯାତ୍ରା ଯୋଗୁ ଯେପରି ପୁରୀ ସହରରେ କୋଭିଡ଼ ସଂକ୍ରମଣ ନ ବ୍ୟାପିବ ସେଥିଲାଗି ସମସ୍ତ ପଦକ୍ଷେପ ନିଆଯିବ। ବାହୁଡା ଯାତ୍ରାରେ କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତମାନେ ହିଁ ରଥ ଟାଣିବେ। ଯଦି ସେମାନଙ୍କର ସଂଖ୍ୟା କମ୍‌ ରୁହେ ତେବେ କୋଭିଡ୍‌ ଟେଷ୍ଟରେ ଯେଉଁମାନେ ନେଗେଟିଭ ରହିଥିବେ ସେମାନେ ଟାଣିପାରିବେ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି। ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଏବଂ ଛତିଶା ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

thirteen + 18 =

error: Content is protected !!
Open chat