ମହିଳା ସେନା ଅଧିକାରୀଙ୍କୁ ସଶକ୍ତ କରିବା ଦିଗରେ ସରକାରଙ୍କ ବଡ଼ ପଦକ୍ଷେପ:ଭାରତୀୟ ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ପ୍ରଦାନକୁ ପ୍ରତିରକ୍ଷା ମନ୍ତ୍ରାଳୟର ମଂଜୁରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ବିଜ୍ଞପ୍ତି ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ବଡ଼ ଭୂମିକା ଗ୍ରହଣ କରିପାରିବେ।
ଭାରତୀୟ ସେନାରେ ମହିଳାମାନଙ୍କୁ ପର୍ମାନେଣ୍ଟ କମିଶନ ବା ସ୍ଥାୟୀ ନିଯୁକ୍ତି ମିଳିଛି । ଏହା ଫଳରେ ଏଣିକି ଭାରତୀୟ ସେନାରେ ମହିଳାମାନେ ପୁରୁଷ ସୈନ୍ୟମାନଙ୍କ ପରି ସମାନ ମାନ୍ୟତା ପାଇପାରିବେ ଓ ଅଧିକ ଗୁରୁଦାୟିତ୍ୱ ଗ୍ରହଣ କରିପାରିବେ । ଏ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସରକାରୀଭାବେ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏହି ନିର୍ଦ୍ଦେଶ ପରେ ଭାରତୀୟ ସେନାର ୧୦ଟି ବିଭାଗରେ ସର୍ଟ ସର୍ଭିସ କମିଶନ ଭିତ୍ତିରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ପର୍ମାନେଣ୍ଟ କମିଶନ ମିଳିବ । ଏହା ଫଳରେ ସେମାନେ ଅବସର ପର୍ଯ୍ୟନ୍ତ ସେବାରେ ରହିପାରିବେ ।ଏହା ସହିତ ମହିଳା ଅଫିସରମାନଙ୍କ ପାଇଁ ଏକ ପର୍ମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡ ସର୍ଟ ସର୍ଭିସ କମିଶନରୁ ପର୍ମାନେଣ୍ଟ କମିଶନ ଯିବାକୁ ଇଚ୍ଛୁକ ମହିଳା ସେନା ଅଧିକାରୀଙ୍କ ଚୟନ କରିବ ।
ଗତ ଫେବ୍ରୁଆରୀ ୧୭ରେ ସୁପ୍ରିମ କୋର୍ଟ ମହିଳାମାନଙ୍କୁ ତିନିମାସ ମଧ୍ୟରେ ପର୍ମାନେଣ୍ଟ କମିଶନ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ୭ ତାରିଖରେ ଏହି ସମୟ ସୀମାକୁ ଆଉ ମାସେ ବଢାଇଦେଇଥିଲେ ସୁପ୍ରିମ କୋର୍ଟ ।
୨୦ ବର୍ଷିୟା ଚାକିରିରେ ୧୪ ବର୍ଷ ଅତିବାହିତ କରିଥିବା ବା ନ କରିଥିବା ସମସ୍ତ ସର୍ଟ ସର୍ଭିସ୍ କମିସନ୍ ମହିଳା ଅଧିକାରୀଙ୍କୁ ପର୍ମାନେଣ୍ଟ୍ କମିଶନ୍ ବୋଲି ବିଚାର କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦେଶ ଦେଇଥିଲେ।
ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(ଏସଏସସି)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(ଏଏଡି) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ଏଏସସି), ଆର୍ମୀ ଆର୍ଡିନାନ୍ସ କୋର(ଏଓସି) ଏବଂ ଇଣ୍ଟେଲିଜେନ୍ସ କୋର ଇତ୍ୟାଦିର ମହିଳା ଅଧିକାରୀମାନଙ୍କୁ ପରମାନେଣ୍ଟ କମିଶନ ଦିଆଯାଇଛି।
ଏହାଛଡା ଆର୍ମୀ ଏଜୁକେସନ କୋର(ଏଇସି), ବିଚାରପତି ବା ମହାଅଧିବକ୍ତାରେ ଥିବା ମହିଳା ଅଧିକାରୀମାନେ ମଧ୍ୟ ପରମାନେଣ୍ଟ କମିଶନ ପାଇବେ। ସେନାମୁଖ୍ୟାଳୟ ଏଥିପାଇଁ ଏକ ପରମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରିଛି । ଏଥିରେ ମହିଳା ଅଧିକାରୀମାନଙ୍କର ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ସମାପିତ ହେବ। ଭାରତୀୟ ସେନା ଦେଶ ରକ୍ଷାରେ ନିୟୋଜିତ ମହିଳା ଅଧିକାରୀଙ୍କ ସମେତ ସମସ୍ତଙ୍କୁ ସମାନ ସୁବିଧା ଦେବାପାଇଁ ଅଙ୍ଗୀକାରବଦ୍ଧ ବୋଲି ସେନା ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।