ମାନବ ସମ୍ବଳ ମନ୍ତ୍ରଣାଳୟର ନୂଆ ନାମକରଣ : ହେଲା ‘ଶିକ୍ଷା ମନ୍ତ୍ରଣାଳୟ’ନୂଆ ଶିକ୍ଷାନୀତି ୬ଷ୍ଠ ଶ୍ରେଣୀରୁ ଆରମ୍ଭ ହେବ ପିଲାଙ୍କ ଦକ୍ଷତା ବିକାଶ ତାଲିମକେନ୍ଦ୍ର

0 458
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ଏହି ଶିକ୍ଷାନୀତିରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଶିକ୍ଷା ମନ୍ତ୍ରାଳୟ ଭାବେ ନାମିତ କରାଯାଇଛି । ୨୦୩୫ ସୁଦ୍ଧା ମୋଟ ନାମଲେଖା ଅନୁପାତକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଶିକ୍ଷାରେ ଦକ୍ଷତା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ୬ଷ୍ଠ ଶ୍ରେଣୀରୁ ପିଲାଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯିବ ଓ ପ୍ରାକ୍ଟିକାଲ ପରୀକ୍ଷା ରହିବ । ମାତୃଭାଷାରେ ପିଲାଙ୍କୁ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯିବ । ନୂଆ ଶିକ୍ଷାନୀତିରେ ପିଲାଙ୍କ ଘୋଷା ପାଠ ଉପରେ ନୁହେଁ, ବାସ୍ତବିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରାଯିବ ।

ଅନ୍ୟପକ୍ଷରେ ଆଜି ଡିଜିଟାଲ ଯୁଗକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଭାଷାରେ ଇ-ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବ । ଉଚ୍ଚଶିକ୍ଷା ପାଇଁ ଦେଶରେ ଏକ ନିୟାମକ ଗଠନ କରାଯିବ । ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ଏକ ଜାତୀୟ ଟେଷ୍ଟିଂ ଏଜେନ୍ସି ଖୋଲାଯିବ 

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରାଯାଇଛି। ଏବେ ଏହା ଶିକ୍ଷା ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ବୈଠକରେ ଦେଶରେ ନୂତନ ଶିକ୍ଷାନୀତି ଲାଗୁ ପାଇଁ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ସମ୍ବାଦ ସରବରାହ ସଂସ୍ଥା ଏ.ଏନ.ଆଇ ସୂତ୍ର ରୁ ଜଣାପଡ଼ିଛି ଯେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାମ ପରିବର୍ତ୍ତନ ଲାଗି ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହା ଉପରେ ବିଚାର ବିମର୍ଷ କରାଯିବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟାମକ ସଂସ୍ଥା ‘ନ୍ୟାଶନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି(ଏନଏଚଇଆରଏ)’ ବା ‘ହାୟର ଏଜୁକେଶନ କମିଶନ ଅଫ ଇଣ୍ଡିଆ’ ଗଠନ କରିବାକୁ ସ୍ଥିର କରାଯାଇଛି। ଏହା ସହିତ ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନର ଉନ୍ନତି ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ଢାଞ୍ଚାରେ ବିଭିନ୍ନ ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀ ସହ ଜଡିତ କୌଶଳ, କଳା ଏବଂ ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱ ଦିଆଯିବ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଦେଶ ଲାଗି ଶିକ୍ଷାନୀତି ପ୍ରଣୟନ କରିଥିଲେ। ତେବେ ଶିକ୍ଷାକ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି କେନ୍ଦ୍ରର ମୋଦି ସରକାର ନୂଆ ଶିକ୍ଷାନୀତି ନିର୍ମାଣ କରିଛନ୍ତି। ଏହାଦ୍ୱାରା ପରିବର୍ତ୍ତିତ ପରିସ୍ଥିତିରେ ବିଶେଷ କରି ପ୍ରଯୁକ୍ତି କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ଡିଜିଟାଲ ଶିକ୍ଷା ଓ ସୃଜନଶୀଳତାକୁ ଦୃଷ୍ଟିରେ ରଖି ନୂଆ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି।

ଉଚ୍ଚଶିକ୍ଷା କ୍ଷେତ୍ରରେ ଗ୍ରେଡେଡ ଆକାଡେମିକ, ଆଡମିନେଷ୍ଟ୍ରେଟିଭ୍ ଓ ଫାଇନାନସିଆଲ ଅଟୋନମି ଆଦିକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମପାଳି ସରକାରରେ ମାନବ ସମ୍ବଳମନ୍ତ୍ରୀ ସ୍ମୃତି ଇରାନୀ ନୂଆ ଶିକ୍ଷାନୀତି ଲାଗି କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୬ ବର୍ଷ ପରେ ଏହା ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମ଼ଞ୍ଜୁରି ଦେଇଛନ୍ତି। 

୨୦୨୦ ଶିକ୍ଷା ନୀତି ଚିଠାରେ ପ୍ରସ୍ତାବ ଥିଲା ଯେ, 10 +2 ବଦଳରେ ତାହା 5+3+3+4 ବ୍ୟବସ୍ଥା ହେବ। ଯାହାକି ୩ରୁ ୧୮ ବର୍ଷ ବୟସ ମଧ୍ୟରେ ରହିବ। ପ୍ରଥମରୁ ତୃତୀୟ ଶ୍ରେଣୀ ମଧ୍ୟରେ ଭାଷା ଓ ଗଣିତକୁ ଅଧିକ ଧ୍ୟାନ ଦିଆଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏପରିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ମାତୃଭାଷାରେ ଶିକ୍ଷାଦାନ କରାଯାଇପାରେ। ୨୦୩୦ ସୁଦ୍ଧା ସ୍କୁଲ ସ୍ତରରେ ଶହେ ପ୍ରତିଶତ ଓ ଉଚ୍ଚ ଶିକ୍ଷାରେ ୫୦ ପ୍ରତିଶତ ନାମଲେଖା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୧୯୮୬ରେ ଦେଶର ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଥିଲା। ୧୯୯୨ରେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାର ୩୬ ବର୍ଷ ପରେ ପୁଣି ଥରେ ନୂଆ ଜାତୀୟ ଶିକ୍ଷା ନୀତି ଆଣିଛି କେନ୍ଦ୍ର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଦେଶରେ ନୂଆ ଶିକ୍ଷା ନୀତି ଉପରେ ମୋହର ଲାଗିଛି। ଏହି ଶିକ୍ଷା ନୀତିରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରାଯାଇଛି। ଫଳରେ ଏଣିକି ନୂଆ ଢାଞ୍ଚାରେ ଦେଶରେ ଶିକ୍ଷାଦାନ କରାଯିବ। ତେବେ ଆସନ୍ତୁ ଜାଣିବା ଏହି ନୂଆ ଶିକ୍ଷାନୀତିରେ କ’ଣ ବ୍ୟବସ୍ଥା କରାଯାଇଛି :-

୧- ଉଚ୍ଚ ଶିକ୍ଷା ପାଇଁ କ୍ରେଡିଟ୍‌ ବ୍ୟାଙ୍କ ବ୍ୟବସ୍ଥା ରହିବ। ବ୍ୟାଙ୍କ ପାସ୍‌ବୁକ୍‌ ଭଳି ଏହା କାର୍ଯ୍ୟ କରିବ।

୨- ୪ ବର୍ଷର ଡିଗ୍ରୀ ପାଠ୍ୟକ୍ରମ ଲାଗି କୋର୍ସ କ୍ରେଡିଟ୍‌ ବ୍ୟବସ୍ଥା ରହିବ। ପ୍ରଥମ ବର୍ଷରୁ ପାଠ ଛାଡ଼ିଲେ ବି ସାର୍ଟିଫିକେଟ୍‌ ମିଳିବ। କୌଣସି ସମସ୍ୟା ଥିଲେ ଛାତ୍ରଛାତ୍ରୀ ଅଧାରୁ ବିରତି ନେଇ ପରେ ଅଧ୍ୟୟନ କରିପାରିବେ।

୩- ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଗ୍ରେଡ୍‌ ଅନୁଯାୟୀ ସୁବିଧା ପାଇପାରିବେ।

୪- ସମସ୍ତ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟନ୍ତ୍ରକ ସଂସ୍ଥା ବା ରେଗୁଲେଟୋରି ଅଥରିଟି ରହିବ। ଏହାର ନାମ ନ୍ୟାଶନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି(ଏନଏଚଇଆରଏ)’ ବା ‘ହାୟର ଏଜୁକେଶନ କମିଶନ ଅଫ ଇଣ୍ଡିଆ’ ରଖିବାକୁ ସ୍ଥିର କରାଯାଇଛି।

୫- ଶିକ୍ଷା ବ୍ୟବସ୍ଥାରେ ଜିଡିପିର ୬ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା ହୋଇଛି।

୬- ୬ଷ୍ଠ ଶ୍ରେଣୀରୁ ସ୍କୁଲରେ ଆରମ୍ଭ ହେବ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ। ପିଲା ସ୍କୁଲ ଶିକ୍ଷା ଶେଷ କରିବା ବେଳକୁ ଯେକୌଣସି ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହୋଇପାରିବ।

୭- ଡ୍ରପ ଆଉଟ୍‌ ବା ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଆଣିବାକୁ ବ୍ୟବସ୍ଥା କରାଯିବ।

୮- କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେବ।

୯- ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେଶନ ଗଠନ ହେବ। ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଏବଂ ଗଣିତ ଜ୍ଞାନ ବୃଦ୍ଧି ପାଇଁ ହେବ ପ୍ରୟାସ।

୧୦- ନୂଆ ଶିକ୍ଷାନୀତିରେ ବୋର୍ଡ ପରୀକ୍ଷାର ଗୁରୁତ୍ଵ ହ୍ରାସ ଲାଗି ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀଙ୍କ ରିପୋର୍ଟ କାର୍ଡ ଢାଞ୍ଚା ବଦଳାଇବାକୁ ହୋଇଛି ନିଷ୍ପତ୍ତି। ଏଣିକି ରିପୋର୍ଟ କାର୍ଡରେ ଛାତ୍ରଛାତ୍ରୀ, ସହପାଠୀ ଓ ଶିକ୍ଷକ ରିପୋର୍ଟ ଦେବେ।

୧୧- ସାଧାରଣ ପ୍ରବେଶିକା ପରୀକ୍ଷା ଦେଇ ଆଡ୍‌ମିଶନ ପାଇଁ ବ୍ୟବସ୍ଥା କରିବ ଜାତୀୟ ପରୀକ୍ଷା ଏଜେନ୍ସୀ(ଏନଟିଏ)। ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ କରାଯିବ ନାହିଁ, କେବଳ ଇଚ୍ଛୁକ ଛାତ୍ରଛାତ୍ରୀ ଦେଇପାରିବେ।

Leave A Reply

Your email address will not be published.

one × 3 =

error: Content is protected !!
Open chat