ରାଜ୍ୟରେ ମେ’ ୧ ଓ ୨ରେ ବନ୍ଦ ରହିବ କରୋନା ଟିକାକରଣ, ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ଟିକା

0 424
greentech

ଭୁବନେଶ୍ବର : ସାରା ଦେଶରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକମାନଙ୍କ କରୋନା ଟିକାକରଣ ଆରମ୍ଭ ହେବ। ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଏହି ଟିକାକରଣ ଆରମ୍ଭ ହେବ ନାହିଁ। ଏବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କରୋନା ଟିକା ମହଜୁଦ ନାହିଁ। ରାଜ୍ୟକୁ ଟିକା ପଠାଇବା ପାଇଁ ପ୍ରସ୍ତୁତକାରୀ ସଂସ୍ଥାକୁ ଚିଠି ଲେଖାଯାଇଛି ଏବଂ ନିରନ୍ତର ଯୋଗାଯୋଗ ରଖାଯାଇଛି। ସମ୍ପୃକ୍ତ ସଂସ୍ଥା ଟିକା ପଠାଇବା ପରେ ରାଜ୍ୟରେ ଏହି ବର୍ଗର ଲୋକମାନଙ୍କ ପାଇଁ ଟିକାକରଣ ଆରମ୍ଭ କରାଯିବ। ଅପରପକ୍ଷରେ ରାଜ୍ୟରେ ଦ୍ବିତୀୟ ଡୋଜ୍‌ କରୋନା ଟିକା ନେବା ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ। ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ଅକାମୀ ହେବାର ଆଶଙ୍କା ରହିଛି। ତେଣୁ ପ୍ରଥମ ଡୋଜ୍‌ ନେବାକୁ ଥିବା ବ୍ୟକ୍ତି ଦ୍ୱିତୀୟ ଡୋଜ ନେବାକୁ ଅପେକ୍ଷା କରିଥିବା ଲୋକଙ୍କୁ ବାଟ ଛାଡନ୍ତୁ ଓ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଟିକାକରଣ ପାଇଁ ସୁଯୋଗ ଦିଅନ୍ତୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

କରୋନା ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟରେ ୧.୯୨ କୋଟି ଲୋକ ଟିକା ନେବେ। ଟିକା ପାଇଁ ଦୁଇ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ସହ ଯୋଗାଯୋଗ କରାଯାଉଛି । ତେବେ ଟିକା କେବେ ଆସିବ ଜଣାପଡ଼ିନାହିଁ । ଟିକା ଆସିଲେ ହିଁ ଟିକାକରଣ ଆରମ୍ଭ ହେବ। ଦୁଇ କମ୍ପାନି ଟିକା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟିକା ନେବା ପାଇଁ ସମସ୍ତେ ପଞ୍ଜୀକରଣ କରନ୍ତୁ। ଟିକା ପହଞ୍ଚିବା ପରେ ଟିକାକରଣ ସମ୍ପର୍କରେ ଜଣାଇଦିଆଯିବ। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୫୭.୭୬ ଲକ୍ଷ ଡୋଜ ଦିଆଯାଇଛି। ଆମ ରାଜ୍ୟରେ ଟିକା ଅପଚୟ ପରିମାଣ ବିଯୁକ୍ତ ୨.୭ ପ୍ରତିଶତ ରହିଛି। ପ୍ରତ୍ୟେକ ଜିଲ୍ଲାରେ ୨ୟ ଡୋଜ୍ ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦିଆଯାଉଛି। କାରଣ ଉପଯୁକ୍ତ ସମୟରେ ୨ୟ ଡୋଜ ନଦେଲେ ପ୍ରଥମ ଡୋଜଟି ବେକାର ହୋଇଯିବ। ଏଣୁ ସେମାନଙ୍କୁ ଆଗ ସୁଯୋଗ ଦେବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଦ୍ବିତୀୟ ଡୋଜ ନେବାରେ ସହଯୋଗ କରନ୍ତୁ। ଠିକ ସମୟରେ ଦ୍ବିତୀୟ ଡୋଜ ନ ନେଲେ ଉକ୍ତ ପ୍ରଥମ ଟିକାର ପ୍ରଭାବ କମ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ କରୋନା ଆକ୍ରାନ୍ତ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି। କରୋନା ଆକ୍ରାନ୍ତ ହେଲେ ହଠାତ ହସ୍ପିଟାଲ ଆସିବା ଦରକାର ନାହିଁ, ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ। ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ ନ ହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସା ହେବା ସବୁଠୁ ଭଲ। ଘରୁ ଗୁରୁତର ରୋଗୀଙ୍କୁ ହସ୍‌ପିଟାଲ୍‌କୁ ନେବା ପାଇଁ ସରକାର ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।
କରୋନାର ଦ୍ବିତୀୟ ଲହର ଅତି ଭୟାନକ। ଗତ ୮ ଦିନ ହେଲା ଦେଶରୁ ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି। ତେଣୁ ପ୍ରତ୍ୟେକ ରାଜ୍ୟବାସୀ କୋଭିଡ୍ ନିୟମର ପାଳନ କରନ୍ତୁ। ଓଡିଶାରେ ଆଜି ରେକର୍ଡ ସଂଖ୍ୟକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ରାଜ୍ୟବାସୀଙ୍କୁ ଅନୁରୋଧ ସମସ୍ତେ କରୋନା ନିୟମ ମାନନ୍ତୁ। ବଜାର ହାଟ ଗଲେ ସଚେତନ ରୁହନ୍ତୁ। ଅନ୍ୟପଟେ କୋଭିଡ୍ ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ବଢାଯାଉଛି। ରାଜ୍ୟରେ ପଯ୍ୟାପ୍ତ ପରିମାଣର ଔଷଧ ମହଜୁଦ୍ କରି ରଖାଯିବା ସହିତ ଅକ୍ସିଜେନ୍ ମଧ୍ୟ ରହିଛି ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.

1 + eleven =

error: Content is protected !!
Open chat