ରାମକୋ ସିମେଣ୍ଟ କାରଖାନା : ହରିଦାସପୁର କାରଖାନା ପାଇଁ ଜାଲ ଦସ୍ତଖତରେ ଗୋଚର, ଦେବୋତ୍ତର ଓ ସରକାରୀ ଜମି ହଡପ ଅଭିଯୋଗ – ସରପଞ୍ଚଙ୍କ ଆନ୍ଦୋଳନ ଧମକ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
- ଗୋଚର,ଦେବୋତ୍ତର ଓ ସରକାରୀ ଜମି ହାତେଇଛି ରାମକୋ
- ଥାନୁଆଳ ସରପଞ୍ଚଙ୍କ ଦସ୍ତଖତ ଜାଲକରି ଜମି ହଡପ୍
- ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷା
- ପରିବେଶ ମଞ୍ଜୁରୀକୁ ଫୁ
- ସରପଞ୍ଚ ଦେଲେ ଆନ୍ଦୋଳନ ଧମକ
ପଦାରେ ପଡିଲା ରାମକୋ ସିମେଣ୍ଟ କାରଖାନାର ଭୟଙ୍କର କେଳଙ୍କାରୀ - ଏହି କଥା ଆଉ କେହି ନୁହେଁ ବରଂ ଯେଉଁ ଅଞ୍ଚଳରେ ଏହି କାରଖାନା ଗଢିଉଠିଛି ସେହି ଅଞ୍ଚଳର ଜଣେ ଜନ ପ୍ରତିନିଧି ସରପଞ୍ଚ ଏଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି।
ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୦୮ : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଦାସପୁର ଅଞ୍ଚଳରେ ଗଢି ଉଠିଥିବା ରାମକୋ ସିମେଣ୍ଟ କାରଖାନାର ଭୟଙ୍କର ଜମି କେଳଙ୍କାରୀ କଥା ସାମନାକୁ ଆସିଛି। କିଛି ରାଜନେତା ଆଉ ସରକାରୀ ଅଧିକାରୀଙ୍କ ଯୌଥ ଉଦ୍ୟୋଗରେ ଗଢି ଉଠିଥିବା ଏହି ଦକ୍ଷୀଣ ଭାରତୀୟ ସିମେଣ୍ଟ କମ୍ପାନୀ ରାମକୋ କିପରି ସବୁ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ଗୋଚର, ଦେବୋତ୍ତର ଏପରିକି ସରକାରୀ ଜମିକୁ ଜବରଦଖଲ କରି କାରଖାନା କରିଛି ତାହାର ଅଭିଯୋଗ ଆଣିଛନ୍ତି ଖୋଦ ଥାନୁଆଳ ପଞ୍ଚାୟତର ସରପଞ୍ଚ ।
![](https://i0.wp.com/kalingajyoti.com/wp-content/uploads/2020/08/ramco-300x257-1.jpg?resize=523%2C448&ssl=1)
ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣି ଥାନୁଆଳ ପଞ୍ଚାୟତର ସରପଞ୍ଚ ଅମୂଲ୍ୟଧନ ଜେନା ଯେଉଁ ତଥ୍ୟ ରଖିଛନ୍ତି ତାହା ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତା’ଠାରୁ ଅଧିକ ଲଜ୍ଜା ଲାଗୁଛି। ରାଜ୍ୟରେ କିପରି ଖୋଲାଖୋଲି ଚଞ୍ଚକତା କରି ଜମି ହଡପ କରାଯାଏ ତାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଏଠାରେ। ଥାନୁଆଳ ସରପଞ୍ଚ ଅଭିଯୋଗ କରିଛନ୍ତି ଯେ, ଧର୍ମଶାଳା ତହସିଲର ହରିଦାସପୁର ଥାନୁଆଳ ଓ ଆରୁହା ପଞ୍ଚାୟତର ମଧ୍ୟ ସ୍ଥଳରେ ଗଢି ଉଠିଥିବା ରାମକୋ ସିମେଣ୍ଟ କାରଖାନା ବହୁ ଏକର ଗୋଚର, ଦେବୋତ୍ତର ଆଉ ସରକାରୀ ଜମି ଉପରେ ନିର୍ମାଣ ଚାଲିଛି।
![](https://kalingajyoti.com/wp-content/uploads/2020/08/land-1024x731.jpg)
୮୦ ପ୍ରତିଶତ କାର୍ଯ୍ୟ ସରିବାକୁ ବସିଥିବା ବେଳେ କାରଖାନା ଚାଲୁକରିବା ପାଇଁ କଞ୍ଚାମାଲ୍ ଆଣି ଠୁଳ କରାଗଲାଣି। କିନ୍ତୁ ବିଡମ୍ବନାର ବିଷୟ ଯେ, ଏଯାଏ କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି ବା ପରିବେଶ ମଞ୍ଜୁରୀ ଉପରେ ଧ୍ୟାନ ଦେଲେନାହିଁ। ଚଞ୍ଚକତା କରି ରାଜ୍ୟ ବାହାରର ଠିକାଦାର ଓ ଶ୍ରମିକ ନିଯୁକ୍ତି ହେଉଥିବା କଥା ସରପଞ୍ଚ ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ପରିବେଶ ମଞ୍ଜୁରୀ ସଠିକ୍ ଉପାୟରେ ମିଳିନାହିଁ। ଏପରିକି ତାଙ୍କ ନିଜ ଦସ୍ତଖସ୍ତକୁ ମଧ୍ୟ ଜାଲ୍ କରି କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ରାଜନେତାଙ୍କ ସହାୟତାରେ ସବୁକିଛି ହାସଲ କରି ନେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/08/ram.jpg?resize=1024%2C559&ssl=1)
୫ଶହ ଏକର ଜମି ଉପରେ ନିର୍ମାଣାଧୀନ ଏହି କାରଖାନା ଆରମ୍ଭ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦିଆ ଯାଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିବାକୁ ବସିଛି। ଶୁଣିବାକୁ ମିଳୁଛି ସ୍ଥାନୀୟ ବିଧାୟକ ଏବଂ ତୃତୀୟ ମହାଲାର ଜଣେ ଅଣ ଓଡିଆ ଅଧିକାରୀଙ୍କ ମାଲିକାନାରେ ଆରମ୍ଭ ହୋଇଥିବା ଏହି ଯୌଥ ଉଦ୍ୟୋଗ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ଏଠାରେ ସ୍ମରଣଯୋଗ୍ୟ ଗତ କିଛିମାସ ପୂର୍ବେ ହରିଦସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ମାମଲା ଏବଂ ଏହି ରାମକୋ କାରଖାନା ଏବଂ ଏହାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସେତେବେଳେ ରାଜ୍ୟରେ ଝଡ ସୃଷ୍ଟି ହୋଇଥିଲା। ଜନୈକ ସରକାରୀ ଦଳର ନେତା ଆଉ ରାମକୋକୁ ନେଇ ଅନେକ କଥା ଉଠିଥିଲା। ଏହା ମଧ୍ୟରେ ସରପଞ୍ଚଙ୍କ ଅଭିଯୋଗ ଫଳରେ ସ୍ଥାନୀୟ ରାଜନେତା ଆଉ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଗଢି ଉଠିଥିବା ମେଣ୍ଟ ପଦାକୁ ଆସିଛି। ଜନ ପ୍ରତିନିଧି ଆଣିଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ ତା’ହେଲେ ତାହା ଅତ୍ୟନ୍ତ ସାଂଘାତିକ୍। ଏ ସମସ୍ତ ଦିଗପ୍ରତି ଦୃଷ୍ଟି ଦେଇ ରାମକୋ କର୍ତ୍ତୃପକ୍ଷ ଯଦି ସମାଧାନ ପାଇଁ ରାସ୍ତା ନ ଖୋଲନ୍ତି ତେବେ ଆସନ୍ତା ୧୦ ତାରିଖଠାରୁ କାରଖାନା ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।