କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮।୦୬: ସରକାରୀ ସୂତ୍ର ଅନୁଯାୟୀ ସୀମାରେ ନିଜର ଉପସ୍ଥିତି ଏବଂ ଶକ୍ତି ବଢାଇବା ପାଇଁ ଭାରତ ସେନା ଓ ବାୟୁସେନା ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଯଦ୍ଵାରା ପିପଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଲଢୁଆ ବିମାନ କିମ୍ବା ହେଲିକପ୍ଟରର ପ୍ରତିଟି ଦୁଃସାହାସର ଜବାବ ଦିଆଯାଇ ଧ୍ଵସ୍ତ କରାଯାଇ ପାରିବ।
ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ବିବାଦ ବଢିବାରେ ଲାଗିଛି। ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ଲଢୁଆ ବିମାନ ଏବଂ ହେଲିକପ୍ଟର ମୁତୟନ କରିବାରେ ଲାଗିଛି। ଏହା ମଧ୍ୟରେ ଭାରତ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିଜାଇଲକୁ ପୂର୍ବ ଲଦାଖରେ ମୁତୟନ କରିଛି। ଯଦି ଚୀନର କୌଣସି ବିମାନ ଏଲଏସି ଅତିକ୍ରମ କରେ ତେବେ କ୍ଷେପଣାସ୍ତ୍ର ଜରିଆରେ ଆକାଶରେ ମାରି ତଳେ ଖସାଇ ଦିଆଯାଇ ପାରିବ।
ସୂତ୍ର ଅନୁଯାୟୀ ଭାରତକୁ ଶୀଘ୍ର ମିତ୍ର ଦେଶଠୁ ବହୁତ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ମିଳିବାକୁ ଯାଉଛି। ଏହାକୁ ସୀମାରେ ମୁତୟନ କରାଯାଇ ପାରିବ ଏବଂ ଶତ୍ରୁ ପକ୍ଷକୁ ଦୃଢ ଜବାବ ଦିଆଯାଇ ପାରିବ। ଶତ୍ରୁ ପକ୍ଷର କୌଣସି ବିମାନକୁ ରୋକା ଯାଇ ପାରିବ। ଚୀନ ହେଲିକପ୍ଟର ଏଲଏସିର ବହୁତ ନିକଟରେ ଉଡାଣ ଭରୁଛନ୍ତି। ସଂପ୍ରତି ଉତ୍ତେଜନାପୂର୍ଣ୍ଣ ସବୁ ସ୍ଥାନରେ ଚୀନର ବିମାନ ଉଡୁଛନ୍ତି। ଏଥିରେ ଦଉଲତ ବେଗ ଓଲଡି, ଗଲଓ୍ଵାନ ଘାଟି, ପାଟ୍ରୋଲିଂ ପଏଣ୍ଟ ୧୪,୧୫, ୧୭ ଓ ୧୭ ଏ ବ୍ୟତୀତ ପାଙ୍ଗଙ୍ଗ ସୋ ହ୍ରଦ ଫିଙ୍ଗର ୩ ଅଞ୍ଚଳ ନିକଟରେ ଚୀନର ବିମାନ ଉଡୁଥିବା ଦେଖିବାକୁ ମିଳିଛି।
ପ୍ରତିଜବାବରେ ଭାରତ ବହୁତ ଦ୍ରୁତ ଏୟାର ଡିଫେନ୍ସ ମିଜାଇଲରେ କ୍ଷେପଣାସ୍ତ୍ର ଆକାଶକୁ ସାମିଲ କରିଛି। ଏହା ବହୁତ ଦ୍ରୁତ ଗତିରେ ଉଡୁଥିବା ଲଢୁଆ ବିମାନ ଏବଂ ଡ୍ରୋନକୁ ମଧ୍ୟ ମାରିବାରେ ସକ୍ଷମ। ନବୀକରଣ ପରେ ଏହାକୁ ପାହାଡରେ ମୁତୟନ କରିବାକୁ ପ୍ରସ୍ତୁତ କରାଯାଇଛି । ପୂର୍ବ ଲଦାଖରେ ଭାରତର ଲଢୁଆ ବିମାନ ମଧ୍ୟ ଗର୍ଜିବାରେ ଲାଗିଛି। ଆଖପାଖର ଏୟାରବେସ୍ରୁ ଉଡାଣ ଭରୁଥିବା ଲଢୁଆ ବିମାନରେ ଅସ୍ତ୍ର ଶସ୍ତ୍ର ସଂପୂର୍ଣ୍ଣ ଲୋଡ୍ ହୋଇଥାଏ ଏବଂ ଆବଶ୍ୟକ ପଡିଲେ ବିନା ସମୟ ଅପଚୟରେ ଶତ୍ରୁ ପକ୍ଷକୁ ମୁହଁତୋଡ ଜବାବ ଦିଆଯାଇ ପାରିବ। ଭାରତର ସର୍ଭିଲାନ୍ସ ସିଷ୍ଟମ ଶତ୍ରୁର ପ୍ରତିଟି ଗତିବିଧି ଉପରେ ନଜର ରଖିଛି।