
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭:ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଲେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ପରିବାର ଲୋକେ। ସାହି ପଡ଼ିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି। ଫଳରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛି ଶବ। ଏପରିକି କରୋନା ଯୁଦ୍ଧରେ ସାମିଲ ହୋଇ ପ୍ରାଣ ହରାଉଥିବା ଆଗ ଧାଡ଼ିର ଯୋଦ୍ଧା ମଧ୍ୟ ଏପରି ଘୃଣ୍ୟ ଭାବର ଶିକାର ହେଉଛନ୍ତି।ରାଜ୍ୟରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାରରେ ବିଳମ୍ବ ହେଉଥିବାରୁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏ ନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ମେଡିକାଲ କଲେଜ୍ ସୁପରିଟେଣ୍ଡେଣ୍ଟ୍ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।

ରାଜ୍ୟରେ ସନ୍ଦିଗ୍ଧ କୋରନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାରରେ ବିଳମ୍ବ ହେଉଥିବାରୁ ମୃତଦେହକୁ ସମ୍ମାନ ଦେବା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ମେଡିକାଲ କଲେଜ୍ ସୁପରିଣ୍ଟେଣ୍ଡେଣ୍ଟ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ।
ଏହି ଚିଠି ଅନୁସାରେ, କିଛି ସ୍ଥାନରେ ସ୍ୱାବ୍ ସଂଗ୍ରହ ଓ ପରୀକ୍ଷା ପୂର୍ବରୁ କୋଭିଡ୍ ଲକ୍ଷଣ ବ୍ୟକ୍ତି ଥିବା କିମ୍ବା କ୍ୱାରେଣ୍ଟିନରେ ଥିବା ଅବସ୍ଥାରେ ମୃତ୍ୟୁ ହେଲେ ମୃତ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ କିମ୍ବା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବନି। ପରିବାର ସହ ପରାମର୍ଶ ପରେ କୋଭିଡ୍ ନିୟମ ଅନୁସାରେ ମୃତଦେହ ସଂସ୍କାର କରାଯିବ।

ରାଜ୍ୟରେ କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ବହୁ ସ୍ଥାନରେ ମୃତଦେହ ପ୍ରତି ଅମାନବୀୟ ଆଚରଣ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଏପରି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିବା ଏବଂ ପରିବାର ଲୋକେ ଅକଥନୀୟ ମାନସିକ ଯନ୍ତ୍ରଣାର ଶିକାର ହେଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି।