
କଳିଙ୍ଗ ଜ୍ୟୋତି ବ୍ୟୁରୋ, ୩୦/୦୬ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ଲକ୍-୨ ସମ୍ବନ୍ଧରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଦେଶର ସାମ୍ପ୍ରତିକ କରେନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ଗତକାଲି ସନ୍ଧ୍ୟାରେ ଅନ୍ଲକ୍-୨ର ମାର୍ଗଦର୍ଶିକା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ସେ କହିଛନ୍ତି ଯେ ଆମେ ଲକ ଡାଉନ କାଳରେ ସମସ୍ତ ନିୟମ ଅତ୍ୟନ୍ତ ଗମ୍ଭୀରତାର ସହ ପାଳନ କଲେ ଏବଂ ପୁଣି ଥରେ ଆମକୁ ସେହିଭଳି ସାହସ ଓ ଦୃଢ଼ତା ଦେଖାଇବାକୁ ପଡିବ। ସେ କହିଛନ୍ତି ଯେ ଦେଶରେ ଲକ ଡାଉନ ଶେଷ ହେବା ବେଳକୁ ଜନସାଧାରଣ ପୂର୍ବ ଭଳି ସତର୍କତା ଅବଲମ୍ବନ କରୁନାହାନ୍ତି, ଅନଲକ ୧ ଆରମ୍ଭ ହେବା ବେଳକୁ ଦେଶରେ ବ୍ୟକ୍ତିଗତ ଓ ସାମାଜିକ ବ୍ୟବହାରରେ ବହୁତ ପରିବର୍ତ୍ତନ ଦେଖାଦେଇଛି ଏବଂ ଲୋକମାନେ ବେଳକୁ ବେଳ ଅଧିକ ସାବଧାନ ହେଉନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମେ ଆମେ ଯେଭଳି ମାସ୍କର ବ୍ୟବହାର ଓ ଦିନକୁ ଅନେକ ଥର ହାତ ଧୋଇବା ଏବଂ ସାମାଜିକ ଦୂରତା ମାନିବା ଭଳି କାର୍ଯ୍ୟ ଅତି ସତର୍କତାର ସହ କରୁଥିଲେ, ଏବେ ସେହି ସତର୍କତାକୁ ଦୋହରାଇବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣକୁ ଆମେ ହାଲକା ଭାବରେ ନେବା ଉଚିତ ନୁହେଁ, ଆମକୁ ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ, ବିଶେଷକରି କଣ୍ଟେନମେଣ୍ଟ ଜୋନରେ ଅଧିକ ଧ୍ୟାନ ଦେବାକୁ ପଡିବ। ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ନିୟମ ପାଳନ ପାଇଁ ପ୍ରବର୍ତ୍ତାଇବାକୁ ପଡିବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଲକ ଡାଉନ କାଳରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଗରିବ ଶ୍ରେଣୀର ଲୋକଙ୍କ ଅସୁବିଧା ଦୂର କରିବା। କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ଯେଭଳି କୌଣସି ଗରିବ ଭାଇ ଭଉଣୀ ଓପାସ ନ ରହନ୍ତି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ଯେ ଯଦି ଆମେ ସାରା ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହାର ବିଚାରକୁ ନେବା ତେବେ ଭାରତରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଠିକ ସମୟରେ ଲକ ଡାଉନ ଭଳି ପଦକ୍ଷେପ ଯୋଗୁ ଦେଶରେ ବହୁ ଅମୁଲ୍ୟ ଜୀବନ ରକ୍ଷା କରାଯାଇପାରିଛି ବୋଲି ମୋଦୀ କହିଛନ୍ତି।